ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଯୋର କନ୍ଦାଖାଳ ନିକଟ ବିଜୁ ଏକ୍ସପ୍ରେସ ୱେ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଧକ୍କା ଦେଇଥିବା ଗାଡ଼ିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ମୃତକ ଜଣକ ଧର୍ମଗଡ଼ ଥାନା ଅନ୍ତର୍ଗତ ବଡ଼ଘୁମେର ଗ୍ରାମର ହେମପ୍ରସାଦ ପଟେଲ (୩୦), ଓରଫ ମୁନା ପଟେଲ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ହେମପ୍ରସାଦ କୌଣସି ଏକ କାମରେ ଧର୍ମଗଡ଼ ଆସିଥିଲେ। କାମ ସାରି ନିଜ ବାଇକରେ ଘରକୁ ଫେରୁଥିବା ସମୟରେ ଗଡ଼ିଆଯୋର କନ୍ଦାଖାଳ ନିକଟ ବିଜୁ ଏକ୍ସପ୍ରେସ ୱେରେ ତାଙ୍କ ବାଇକକୁ ପଛପଟୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିବା ଜଣାପଡ଼ିଛି। ଧକ୍କା ପରେ ହେମପ୍ରସାଦ ରାସ୍ତାରେ ପଡ଼ିଯାଇଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ଗାଡ଼ିଟି ନ ରହି ଘଟଣାସ୍ଥଳରୁ ଚମ୍ପଟ ମାରିଥିବାରୁ ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଓ ଉଦ୍ବେଗ ପ୍ରକାଶ ପାଇଛି। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଧର୍ମଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା କିପରି ଘଟିଲା ଏବଂ କେଉଁ ଗାଡ଼ି ଧକ୍କା ଦେଇଥିଲା, ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ଏହି ଦୁଃଖଦ ଘଟଣା ପରେ ବଡ଼ଘୁମେର ଗ୍ରାମ ସମେତ ମୃତକଙ୍କ ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଅଜଣା ଗାଡ଼ିକୁ ଶୀଘ୍ର ଚିହ୍ନଟ କରି ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନାନୁଯାୟୀ ପଦକ୍ଷେପ ନେବାକୁ ଦାବି ହେଉଛି।
