ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର : କୃଷକଙ୍କ ଦକ୍ଷତା ବୃଦ୍ଧି ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ତାରାପୁର ଗ୍ରାମପଞ୍ଚାୟତ ପରିସରରେ ଥିବା ସିଏସ୍ପି ପ୍ଲସ୍ ସଭାଗୃହରେ କୃଷକ ଉତ୍ପାଦକ ଗୋଷ୍ଠୀ (ଫାର୍ମର ପ୍ରଡୁସର ଗ୍ରୁପ୍) ପକ୍ଷରୁ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଏଫ୍ସି ଇଣ୍ଡିଆ ଲିମିଟେଡ୍ର ସହାୟତାରେ ଆୟୋଜିତ ଏହି ତାଲିମ ଶିବିର ଗୋଷ୍ଠୀର ଏମ୍ଡି ମହେନ୍ଦ୍ର କୁମାର ହଂସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା। ଶିବିରରେ ଏଏଫ୍ସି ଇଣ୍ଡିଆ ଲିମିଟେଡ୍ର କର୍ମଚାରୀ ତଥା ତାଲିମଦାତା ତପନ କୁମାର ନାୟକ ଯୋଗଦେଇ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ରହିଥିବା ବିଭିନ୍ନ ସରକାରୀ ଯୋଜନାର ସୁଯୋଗ ନେବା ଉପାୟ ସମ୍ପର୍କରେ ତାଲିମ ଦେଇଥିଲେ। ଏଥିସହ କୃଷକ ସମୂହ କିଭଳି ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିବେ ଏବଂ ଆଗାମୀ ପାଞ୍ଚ ବର୍ଷର ଲକ୍ଷ୍ୟ ଧାର୍ଯ୍ୟ କରି ଯୋଜନାବଦ୍ଧ ଭାବେ ଆଗକୁ ବଢ଼ିବେ, ସେନେଇ ଆଲୋଚନା କରାଯାଇଥିଲା। ଧର୍ମଗଡ଼ ବ୍ଲକର ଅଧିକରୁ ଅଧିକ ଚାଷୀଙ୍କୁ ଗୋଷ୍ଠୀ ସହ ସାମିଲ କରିବା, ବିଭିନ୍ନ ପ୍ରକାର ଚାଷ ପ୍ରଣାଳୀ ଏବଂ କୃଷି ଉପକରଣ ପାଇବାର ସୁବିଧା ସମ୍ପର୍କରେ ମଧ୍ୟ ଚାଷୀମାନଙ୍କୁ ବିସ୍ତୃତ ଭାବେ ବୁଝାଇ ଦିଆଯାଇଥିଲା। ଏହି ଶିବିରରେ ସମାଜସେବୀ ପ୍ରଶାନ୍ତ କୁମାର ମାଝୀ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଏଭଳି ପଦକ୍ଷେପକୁ ସ୍ୱାଗତ କରିଥିଲେ। ଧର୍ମଗଡ଼ ବ୍ଲକରେ ଏହି ଗୋଷ୍ଠୀକୁ ଏକ ଆଦର୍ଶ କୃଷକ ଉତ୍ପାଦକ ଗୋଷ୍ଠୀ ଭାବେ ଗଢ଼ି ତୋଳିବା ପାଇଁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଗୋଷ୍ଠୀର ନିର୍ଦ୍ଦେଶକ ତଥା ସକ୍ରିୟ ସଭ୍ୟ ସିଦ୍ଧେଶ୍ୱର ସାହୁ, ପ୍ରେମ ପଟେଲଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ତାଲିମ ଶିବିରରେ ସହଯୋଗ କରିଥିଲେ।

