ଖରିଫ ଧାନ ବିକ୍ରି ପଞ୍ଜୀକରଣ ପ୍ରକ୍ରିୟା : ଧର୍ମଗଡ଼ ବ୍ଲକରେ ୧୨,୬୧୯ ଚାଷୀ ପଞ୍ଜୀକୃତ

ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର : ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଅବଧି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ୩୧ ତାରିଖରେ ପଞ୍ଜୀକରଣର ଶେଷ ଦିନ ଥିବାବେଳେ ଧର୍ମଗଡ଼ ବ୍ଲକର ବିଭିନ୍ନ ପେକ୍ସରେ ଏପର୍ଯ୍ୟନ୍ତ ୧୨,୬୧୯ ଜଣ ଚାଷୀ ପଞ୍ଜୀକୃତ ହୋଇସାରିଛନ୍ତି। ଅନ୍ୟପଟେ ପଞ୍ଜିକରଣ ଅବଧି ଆହୁରି ୭ଦିନ ପର୍ଯ୍ୟନ୍ତ ବୃଦ୍ଧି କରା ପାଇଥିବା ଗଣମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ ପାଛନ୍ତି। ୩୦ ଅଗଷ୍ଟ ସନ୍ଧ୍ୟା ୫ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ, ଗତ ଖରିଫ ଋତୁ ୨୦୨୫-୨୬ରେ ଏହି ୬ଟି ପେକ୍ସରେ ୧୨,୫୬୯ ଜଣ ଚାଷୀ ପଞ୍ଜୀକୃତ ହୋଇଥିଲେ। ଚଳିତ ଖରିଫ ୨୦୨୬-୨୭ରେ ସେହି ସଂଖ୍ୟା ୧୨,୬୧୯କୁ ବୃଦ୍ଧି ପାଇଛି। ଅର୍ଥାତ୍ ଗତବର୍ଷ ତୁଳନାରେ ଏଥର ମୋଟ ୫୦ ଜଣ ଅଧିକ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ସରକାରୀ ତଥ୍ୟ ଅନୁସାରେ ନନ୍ଦଗାଁ ପେକ୍ସରେ ଗତ ଖରିଫ ଋତୁ ରେ ୨,୪୨୨ ଜଣ ଚାଷୀ ପଞ୍ଜୀକୃତ ହୋଇଥିବାବେଳେ ଚଳିତ ବର୍ଷ ୨,୪୧୧ ଜଣ ପଞ୍ଜୀକୃତ ହୋଇଛନ୍ତି। ପର୍ଲା ପେକ୍ସରେ ଗତବର୍ଷ ୨,୪୨୫ ଜଣଙ୍କ ତୁଳନାରେ ଏଥର ୨,୧୯୨ ଜଣ ପଞ୍ଜୀକୃତ ହୋଇଛନ୍ତି। ସେହିପରି ବେହେରା ପେକ୍ସରେ ଗତ ଖରିଫରେ ୧,୯୫୨ ଜଣ ଚାଷୀ ପଞ୍ଜୀକୃତ ହୋଇଥିବାବେଳେ ଚଳିତ ବର୍ଷ ଏହି ସଂଖ୍ୟା ୨,୪୫୭ରେ ପହଞ୍ଚିଛି। ଖଇରପଦର ପେକ୍ସରେ ଗତବର୍ଷ ୧,୫୩୮ ଜଣଙ୍କ ତୁଳନାରେ ଏଥର ୧,୫୧୮ ଜଣ ପଞ୍ଜୀକୃତ ହୋଇଛନ୍ତି। ଧର୍ମଗଡ଼ ପେକ୍ସରେ ଗତବର୍ଷ ୨,୧୪୯ ଜଣ ଚାଷୀଙ୍କ ତୁଳନାରେ ଏଥର ୨,୦୪୦ ଜଣ ପଞ୍ଜୀକୃତ ହୋଇଛନ୍ତି । କଙ୍କେରୀ ପେକ୍ସରେ ଗତବର୍ଷ ୨,୦୮୩ ଜଣଙ୍କ ତୁଳନାରେ ଚଳିତ ବର୍ଷ ୨,୦୦୧ ଜଣ ପଞ୍ଜୀକୃତ ହୋଇଛନ୍ତି। ପଞ୍ଜୀକରଣ ଅବଧି ଶେଷ ହେବାକୁ ଆଉ ମାତ୍ର ୨୪ ଘଣ୍ଟା ବାକି ଥିବାବେଳେ ବିଭିନ୍ନ ପେକ୍ସରେ ସର୍ଭର ଧିମା ଚାଲିବା ଓ ଇଣ୍ଟରନେଟ୍ ସମସ୍ୟା ଚାଷୀଙ୍କ ଚିନ୍ତା ବଢ଼ାଇଛି। ଗୋଟିଏ ଆଇଡିରେ ପଞ୍ଜୀକରଣ, ଭାଗଚାଷୀଙ୍କ ପଞ୍ଜୀକରଣ, ବଂଶାବଳୀ ସମ୍ବନ୍ଧୀୟ କାଗଜପତ୍ର, ପରିବାର ସଦସ୍ୟଙ୍କ ସହମତିପତ୍ର ପ୍ରଦାନ ଭଳି ସମସ୍ୟା ଯୋଗୁଁ ଅନେକ ଚାଷୀଙ୍କୁ ପଞ୍ଜୀକରଣ ପାଇଁ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡ଼ୁଥିବା ଅଭିଯୋଗ ହେଉଛି। ବିଶେଷକରି ଭାଗଚାଷୀଙ୍କ ପାଇଁ ନୂଆ ପଞ୍ଜୀକରଣ ଆପ୍ ଖୋଲାଯିବ ବୋଲି ଘୋଷଣା ହୋଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନଥିବା ଅଭିଯୋଗ ରହିଛି। ଫଳରେ ଅନେକ ଯୋଗ୍ୟ ଭାଗଚାଷୀ ପଞ୍ଜୀକରଣରୁ ବାଦ୍ ପଡ଼ିବା ଆଶଙ୍କା ଦେଖାଦେଇଛି। ଜୁଲାଇ-ଅଗଷ୍ଟ ମାସର ପ୍ରବଳ ବର୍ଷା ଓ ବନ୍ୟାରେ ଅନେକ ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବାବେଳେ ଚାଷୀମାନେ ଏବେ ପଞ୍ଜୀକରଣ ସମସ୍ୟାରେ ମଧ୍ୟ ଫସିଛନ୍ତି। ତେଣୁ ଯୋଗ୍ୟ କୌଣସି ଚାଷୀ ଯେପରି ପଞ୍ଜୀକରଣରୁ ବାଦ୍ ନ ପଡ଼ନ୍ତି, ସେଥିପାଇଁ ପଞ୍ଜୀକରଣ ଅବଧି ଆଉ ୧୫ ଦିନ ବଢ଼ାଇବା, ଭାଗଚାଷୀଙ୍କ ପଞ୍ଜୀକରଣ ବ୍ୟବସ୍ଥା ତୁରନ୍ତ ଚାଲୁ କରିବା ଏବଂ ସର୍ଭର ସମସ୍ୟାର ସମାଧାନ କରିବାକୁ ଚାଷୀମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *