ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : ଲାଞ୍ଜିଗଡ଼ ରୋଡ୍ ଅଞ୍ଚଳରେ ଥିବା ପଶୁ ଚିକିତ୍ସା କାର୍ଯ୍ୟାଳୟ ଓ ପଶୁ ଚିକିତ୍ସକଙ୍କ ବାସଗୃହ ଦୀର୍ଘଦିନ ଧରି ଜରାଜୀର୍ଣ୍ଣ ଓ କ୍ଷତିଗ୍ରସ୍ତ ଅବସ୍ଥାରେ ରହିଛି। ପୁରୁଣା କୋଠାର ଅବସ୍ଥା ଏତେ ଖରାପ ଯେ ସେଠାରେ ପଶୁ ଚିକିତ୍ସକ ରହୁନାହାନ୍ତି। ଫଳରେ ଅଞ୍ଚଳବାସୀଙ୍କୁ ପଶୁ ଚିକିତ୍ସା ସେବା ପାଇବାରେ ବିଭିନ୍ନ ସମସ୍ୟା ଭୋଗିବାକୁ ପଡ଼ୁଛି। ଲାଞ୍ଜିଗଡ଼ ରୋଡ୍ ଓ ଏହାର ଆଖପାଖ ଅଞ୍ଚଳରେ ବହୁ ସଂଖ୍ୟକ ଲୋକ ପଶୁପାଳନ ଉପରେ ନିର୍ଭରଶୀଳ। ପଶୁମାନଙ୍କ ଅସୁସ୍ଥତା ସମୟରେ ତୁରନ୍ତ ଚିକିତ୍ସା ସେବା ଆବଶ୍ୟକ ହୋଇଥାଏ। କିନ୍ତୁ ଜରାଜୀର୍ଣ୍ଣ କାର୍ଯ୍ୟାଳୟ ଓ ବାସଗୃହ ଯୋଗୁଁ ନିୟମିତ ଓ ସୁବିଧାଜନକ ପଶୁ ଚିକିତ୍ସା ସେବା ନେଇ ପ୍ରଶ୍ନ ଉଠୁଛି। ଏହି ପରିସ୍ଥିତିରେ ସରକାର ତୁରନ୍ତ ପୁରୁଣା କୋଠାର ସ୍ଥିତି ଯାଞ୍ଚ କରି ଲାଞ୍ଜିଗଡ଼ ରୋଡ୍ରେ ନୂତନ ପଶୁ ଚିକିତ୍ସା କାର୍ଯ୍ୟାଳୟ ସହ ପଶୁ ଚିକିତ୍ସକଙ୍କ ପାଇଁ ନୂତନ ବାସଗୃହ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏଥିସହ ପଶୁ ଚିକିତ୍ସକ ଯେପରି କାର୍ଯ୍ୟସ୍ଥଳ ନିକଟରେ ରହି ଆପତ୍କାଳୀନ ସମୟରେ ଲୋକଙ୍କୁ ଶୀଘ୍ର ସେବା ଯୋଗାଇ ପାରିବେ, ସେଥିପାଇଁ ନୂତନ ବାସଗୃହ ନିର୍ମାଣ ଅତ୍ୟନ୍ତ ଆବଶ୍ୟକ ବୋଲି ଦାବି ହୋଇଛି।
