ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ କୁମାର ସେନାପତି) : ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରରେ ଥିବା ୯ଟି ଦାନ ହୁଣ୍ଡିକୁ ମାଜିଷ୍ଟ୍ରେଟ୍ ଏବଂ ପୋଲିସଙ୍କ ଉପସ୍ଥିତିରେ ଖୋଲାଯାଇ ଗଣତି କରାଯାଇଛି। ପ୍ରାୟ ୧୦ ଘଣ୍ଟାର ଗଣତି ପରେ ହୁଣ୍ଡିରୁ ନଗଦ ୫୪ ଲକ୍ଷ ୧୫ ହଜାର ୯୦୨ ଟଙ୍କା, ୧୧ଟି ବିଦେଶୀ ନୋଟ୍, ୩ଟି ବିଦେଶୀ ମୁଦ୍ରା, ୬୪ ଗ୍ରାମ ସୁନା ଏବଂ ୧୭୬୪ ଗ୍ରାମ ରୂପା ମିଳିଛି। ଜଣେ ଶ୍ରଦ୍ଧାଳୁ ୧ କେଜିର ଏକ ରୂପା ଇଟା ମଧ୍ୟ ଦାନ କରିଛନ୍ତି। ମିଳିଥିବା ନଗଦ ଟଙ୍କାକୁ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଏବଂ ସୁନା-ରୂପାକୁ ଜିଲ୍ଲା କୋଷାଗାରରେ ସୁରକ୍ଷିତ ଭାବେ ରଖାଯାଇଛି। ଆଜି ସକାଳ ୯.୩୦ ରେ ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ମନ୍ଦିର ପରିଚାଳନା କମିଟି ତରଫରୁ ହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ ହୋଇଥିଲା। ଦୀର୍ଘ ୧୦ ଘଣ୍ଟା ଧରି ଗଣତି ହୋଇଥିଲା। ଏହା ପୂର୍ବରୁ ଜୁନ୍ ୨୯ ତାରିଖରେ ଗଣତି ହୋଇଥିଲା। ଉକ୍ତ ସମୟରେ ହୁଣ୍ଡିରୁ ନଗଦ ୧ କୋଟି ୨୨ ଲକ୍ଷ ୨୯ ହଜାର ୬୨୩ ଟଙ୍କା ସହିତ ୩୦ ଗ୍ରାମ ସୁନା ଓ ୧୩୦୦ ଗ୍ରାମ ରୂପା ବାହାରିଥିଲା । ସୂଚନା ଥାଉକି, ବର୍ଷକୁ ୩ ରୁ ୪ ଥର ହୁଣ୍ଡି ଖୋଲାଯାଇ ଖୋଲାଯାଇ ଗଣତି କରାଯାଉଛି। ହେଲେ ଚଳିତଥର ପ୍ରାୟ ୨ ମାସ ପରେ ଖୋଲାଗଲା। ସୋମବାର ହୁଣ୍ଡିରୁ ବାହାରିଥିବା ଟଙ୍କା ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଗଚ୍ଛିତ ରଖାଯାଇଛି। ସେହିଭଳି ସୁନା ଓ ରୁପା ଜିଲ୍ଲା କୋଷାଗାରରେ ରଖାଯାଇଛି। ଏହି ଗଣତିରେ ବ୍ୟାଙ୍କ କର୍ମଚାରୀଙ୍କ ସମେତ ଅନେକ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ। ହୁଣ୍ଡି ଖୋଲି ଗଣତି ବେଳେ ପୋଲିସ ଓ ମନ୍ଦିର ସୁରକ୍ଷା କର୍ମୀଙ୍କ ଦ୍ୱାରା ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଥିଲା
