ବଲାଙ୍ଗୀର/କ୍ରାନ୍ତିକ୍ଷେତ୍ର (ଚୌଧୀରି ସାହୁ) : ସଇଁତଳା ବ୍ଲକ ଆଦିବାସୀ କଲ୍ୟାଣ ସଂଘର ନୂତନ ସଭାପତି ଭାବେ ଦେବେନ୍ଦ୍ର ଭୋଇ ନିର୍ବାଚିତ ହୋଇଛନ୍ତି। ଦେଓଗାଁ ବ୍ଲକ ଅନ୍ତର୍ଗତ ଭିନଡୁଙ୍ଗରୀ ପରିସରରେ ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲ୍ଲା ସଭାପତି ସତ୍ୟନାରାୟଣ ଭୋଇ, ଜିଲ୍ଲା ସମ୍ପାଦକ ପୁରୁଷୋତ୍ତମ ମିର୍ଦ୍ଧାଙ୍କ ସମେତ ୧୩ ଗୋଟି ବ୍ଲକର ସଭାପତି, ସମ୍ପାଦକ ଓ ବହୁ ସାମାଜିକ କର୍ମକର୍ତ୍ତା ଉପସ୍ଥିତ ଥିଲେ। ସର୍ବସମ୍ମତି କ୍ରମେ ସମସ୍ତଙ୍କ ଉପସ୍ଥିତିରେ ଦେବେନ୍ଦ୍ର ଭୋଇଙ୍କୁ ସଇଁତଳା ବ୍ଲକ ଆଦିବାସୀ କଲ୍ୟାଣ ସଂଘର ନୂତନ ସଭାପତି ଭାବେ ଚୟନ କରାଯାଇଛି। ଶ୍ରୀଭୋଇ ଜଣେ ମେଳାପୀ, ସାମାଜିକ କର୍ମୀ ତଥା ଆଦିବାସୀ ସମାଜର ଉନ୍ନତି ପାଇଁ ସର୍ବଦା କାର୍ଯ୍ୟ କରୁଥିବା ବ୍ୟକ୍ତି ଅଟନ୍ତି। ନୂତନ ଦାୟିତ୍ୱ ପାଇବା ପରେ ସଇଁତଳା ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ତାଙ୍କ ନିର୍ବାଚନ ପରେ ପୂର୍ବତନ ମନ୍ତ୍ରୀ ତଥା ଆଦିବାସୀ ନେତା ସୁରେନ୍ଦ୍ର ସିଂ ଭୋଇ, ସନ୍ତୋଷ ପୁଟା, ରମାକାନ୍ତ ମାଝୀ, ଗୁଣସାଗର ମାଝୀ, ବିମଳ ଶର୍ମା, ପ୍ରମୋଦ ଭୋଇ, ସିମରନ ସିଂ ଭୋଇ, ରଞ୍ଜନ ବାଗ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଆଦିବାସୀ ସମାଜର ବିକାଶ ପାଇଁ ସେ ଆହୁରି ଆଗେଇ ଯିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି।
