ମଲିକୁଦ–ସାହାଜପିଟା ରାସ୍ତା ମରଣଯନ୍ତା

କଣ୍ଟାମାଳ/କ୍ରାନ୍ତିକ୍ଷେତ୍ର (ମନଧରକର୍ମୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବରଗାଁ ପଞ୍ଚାୟତର ମଲିକୁଦ–ସାହାଜପିଟା ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଦୀର୍ଘଦିନ ଧରି ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବାରୁ ଏହି ରାସ୍ତା ଉପରେ ନିର୍ଭରଶୀଳ ଅନେକ ଗ୍ରାମବାସୀ ଯାତାୟାତ ସମୟରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଉକ୍ତ ରାସ୍ତାଟି ଜଙ୍ଗଲ ବିଭାଗ ଅଧୀନରେ ରହିଛି। ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ଓ ଅସମତଳ ଅବସ୍ଥା ସୃଷ୍ଟି ହୋଇଥିବାରୁ ବର୍ଷାଦିନେ ସମସ୍ୟା ଆହୁରି ଗୁରୁତର ହୋଇପଡ଼ୁଛି। ଦୁଇଚକିଆ ଯାନ, ସାଇକେଲ ଓ ଅନ୍ୟାନ୍ୟ ଯାନବାହନ ଚଳାଚଳ କରିବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ଏହି ରାସ୍ତା ଦେଇ ସୌରୀବେଙ୍ଗେସ, ସାହାଜପିଟା, ଗୌରୀବେଙ୍ଗେସ, ମହିବିଲା, କକେନଯୋର ଓ ବିରାମୁଣ୍ଡା ଆଦି ଅଞ୍ଚଳର ଲୋକମାନେ କଣ୍ଟାମାଳକୁ ଯାତାୟାତ କରନ୍ତି। କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ଥାନା ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଯିବା ସହ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ମଧ୍ୟ ଲୋକେ ଏହି ରାସ୍ତା ଉପରେ ନିର୍ଭର କରନ୍ତି। କେବଳ ସାଧାରଣ ଲୋକ ନୁହେଁ, ଏହି ଅଞ୍ଚଳର ଛାତ୍ରଛାତ୍ରୀମାନେ ମଧ୍ୟ କଣ୍ଟାମାଳ କଲେଜ ଓ ଶିକ୍ଷାନୁଷ୍ଠାନକୁ ଯିବା ପାଇଁ ଏହି ରାସ୍ତା ବ୍ୟବହାର କରୁଛନ୍ତି। ରାସ୍ତାର ଦୁରବସ୍ଥା ଯୋଗୁଁ ଛାତ୍ରଛାତ୍ରୀଙ୍କ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହେଉଛି।

ବାଘରକନା ନାଳରେ ଉଚ୍ଚ ସେତୁ ନିର୍ମାଣ ଦାବି

ଏହି ରାସ୍ତାରେ ଥିବା ବାଘରକନା ନାଳ ମଧ୍ୟ ବର୍ଷାଦିନେ ଯାତାୟାତ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରୁଛି। ବର୍ଷା ହେଲେ ନାଳରେ ପାଣି ବଢ଼ିଯିବାରୁ ଯାତାୟାତ ବାଧାପ୍ରାପ୍ତ ହେବାର ଦେଖିବାକୁ ମିଳୁଛି। ତେଣୁ ବାଘରକନା ନାଳ ଉପରେ ଏକ ଉଚ୍ଚ ସେତୁ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଗ୍ରାମବାସୀଙ୍କ ମତରେ, ରାସ୍ତାଟି ଉନ୍ନତିକରଣ ସହ ବାଘରକନା ନାଳ ଉପରେ ଉଚ୍ଚ ସେତୁ ନିର୍ମାଣ ହେଲେ ଅନେକ ଗ୍ରାମର ଲୋକେ ବର୍ଷାଦିନେ ମଧ୍ୟ ସୁରକ୍ଷିତ ଭାବେ କଣ୍ଟାମାଳକୁ ଯାତାୟାତ କରିପାରିବେ। ଏହା ସହିତ ଛାତ୍ରଛାତ୍ରୀଙ୍କ ଯାତାୟାତ ସୁବିଧା ହେବା ସହ ଜରୁରୀ ସମୟରେ ରୋଗୀଙ୍କୁ ହସ୍ପିଟାଲ ଓ ସାଧାରଣ ଲୋକଙ୍କୁ ସରକାରୀ କାର୍ଯ୍ୟାଳୟରେ ପହଞ୍ଚିବା ସହଜ ହେବ। ତେଣୁ ଜଙ୍ଗଲ ବିଭାଗ ଓ ସମ୍ପୃକ୍ତ ପ୍ରଶାସନ ଏହି ରାସ୍ତାର ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ରାସ୍ତା ମରାମତି ଉନ୍ନତିକରଣ କରିବା ସହ ବାଘରକନା ନାଳ ଉପରେ ଉଚ୍ଚ ସେତୁ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *