ପରମିଟ୍ ତୀର୍ଥଯାତ୍ରାର, ବୁହାହେଉଛନ୍ତି ଦାଦନ

କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା କୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ୍‌ୱେ ଏବେ ବେଆଇନ୍ ଦାଦନ ଶ୍ରମିକ ଚାଲାଣର ସୁରକ୍ଷିତ କୋରିଡୋର ପାଲଟିଛି। ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ଉଦ୍ଦିଷ୍ଟ ‘ଟୁରିଷ୍ଟ ପରମିଟ୍‌’ ଥିବା ବସ୍‌ଗୁଡ଼ିକରେ ପ୍ରତିଦିନ ଶହ ଶହ ଶ୍ରମିକଙ୍କୁ ଠେଲାପେଲା କରି ରାଜ୍ୟ ବାହାରକୁ ଚାଲାଣ କରାଯାଉଛି। ଏସବୁ ସ୍ପଷ୍ଟ ଦିବାଲୋକରେ ଘଟୁଥିଲେ ବି ଜିଲ୍ଲା ଶ୍ରମ ବିଭାଗ, ଆଞ୍ଚଳିକ ପରିବହନ ବିଭାଗ ଓ ପୋଲିସ ପ୍ରଶାସନର ନୀରବତା ଏବେ ଅନେକ ସଙ୍ଗୀନ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନାନୁସାରେ, ଏହି ରୁଟ୍‌ରେ ରାଜ୍ୟ ବାହାରକୁ ଯାତାୟାତ ପାଇଁ ଅନୁମତି ପାଇଥିବା ଗୋଟିଏ କି ଦୁଇଟି ନିୟମିତ ଯାତ୍ରୀବାହୀ ବସ୍‌ ରହିଥିବା ବେଳେ ବର୍ତ୍ତମାନ ତାହା କୌଣସି କାରଣରୁ ବନ୍ଦ ରହିଛି। ଏହାର ସିଧାସଳଖ ଫାଇଦା ଉଠାଉଛନ୍ତି ଅସାଧୁ ବସ୍ ମାଲିକ ଓ ଦାଦନ ଦଲାଲ। ପ୍ରତିଦିନ ୧୫ରୁ ୨୦ଟି ବେଆଇନ୍ ଟୁରିଷ୍ଟ ବସ୍ ଧର୍ମଗଡ଼, ଗୋତମୁଣ୍ଡା, ବେହେରା, ଆମପାଣି, ଛତିଶଗଡ଼ ରାଜ୍ୟର ଦେଭୋଗ ଓ ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରୁ ସାଧାରଣ ଶ୍ରମିକଙ୍କୁ ଲଦି ଚେନ୍ନାଇ, ବିଶାଖାପାଟଣା, ହାଇଦ୍ରାବାଦ, ତେଲେଙ୍ଗାନା ଓ ଜଗଦଲପୁର ଭଳି ସହରକୁ ନେଉଛନ୍ତି। ଏଣେ ଅଧିକ ମୁନାଫା କମାଇବା ଚକ୍କରରେ ବସ୍‌ଗୁଡ଼ିକରେ କ୍ଷମତାଠାରୁ ଯଥେଷ୍ଟ ଅଧିକ ଯାତ୍ରୀ ନିଆଯାଉଛି। ଗାଡ଼ି ଭିତରେ ଠେଲାପେଲା ହୋଇ ଅତ୍ୟନ୍ତ ଅମାନବୀୟ ଓ କଷ୍ଟକର ପରିସ୍ଥିତିରେ ଶ୍ରମିକମାନେ ଯାତ୍ରା କରୁଛନ୍ତି। ଏହାକୁ ପ୍ରତିବାଦ କଲେ ବସ୍ କଣ୍ଡକ୍ଟର ଓ କର୍ମଚାରୀମାନେ ଶ୍ରମିକଙ୍କୁ ଗାଳିଗୁଲଜ ଓ ଦୁର୍ବ୍ୟବହାର  କରୁଛନ୍ତି। ଏନେଇ ପୂର୍ବରୁ ବହୁବାର ଓ ନିକଟ କିଛିଦିନ ତଳେ ସ୍ଥାନୀୟ ଏକ ଥାନାରେ ଅଭିଯୋଗ ହୋଇଥିଲେ ସୁଦ୍ଧା କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସବୁଠାରୁ ଚାଞ୍ଚଲ୍ୟକର ବିଷୟ ହେଉଛି, କେତେକ ଦାଦନ ଦଲାଲ ଏହି ଟୁରିଷ୍ଟ ବସ୍‌ଗୁଡ଼ିକୁ ଲିଜ୍‌ରେ ନେଇ ଚଳାଉଛନ୍ତି। ଏପରିକି କିଛି ସରକାରୀ କର୍ମଚାରୀ ଡ୍ୟୁଟି ସମୟରେ ମୁଖ୍ୟ ରାସ୍ତାରେ ଠିଆ ହୋଇ ଦଲାଲ୍ ସାଜି ଟିକେଟ୍ କାଟୁଥିବା ଭଳି ଗୁରୁତର ଅଭିଯୋଗ ସାମ୍ନାକୁ ଆସୁଛି। ଏହି ବସ୍‌ଗୁଡ଼ିକ ଧର୍ମଗଡ଼, ଆମପାଣି, ମୈଦଳପୁର, ପାପଡ଼ାହାଣ୍ଡି, ନବରଙ୍ଗପୁର, ଜୟପୁର, ମାଲକାନଗିରି ଓ ମୋଟୁ ଭଳି ୧୦ରୁ ଊର୍ଦ୍ଧ୍ୱ ଥାନା ଅଞ୍ଚଳ ଦେଇ ପ୍ରତିଦିନ ଗଡୁଛି। ତଥାପି ପୋଲିସ କିମ୍ବା ପରିବହନ ବିଭାଗ ନିଷ୍କ୍ରିୟ ରହିବା ପଛରେ ମାସିକ ମୋଟା ଅଙ୍କର ଚାନ୍ଦା କାରବାର ରହିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏଣେ କେବଳ ଲୋକଦେଖାଣିଆ ଭାବେ କିଛି ବସ୍‌ରୁ ଫାଇନ୍‌ କାଟି ବିଭାଗ ନିଜ କର୍ତ୍ତବ୍ୟ ଶେଷ କରିଦେଉଛି। ଅନ୍ୟପଟେ ଶ୍ରମ ବିଭାଗ ଆଖିବୁଜି ଶୋଇବା ଯୋଗୁଁ ଶହ ଶହ ଶ୍ରମିକ ବିନା ପଞ୍ଜିକରଣରେ ଦଲାଲଙ୍କ ପ୍ରଲୋଭନର ଶିକାର ହୋଇ ରାଜ୍ୟ ବାହାରକୁ ଚାଲିଯାଉଛନ୍ତି। ଫଳରେ ଭବିଷ୍ୟତରେ ସେମାନଙ୍କ ସୁରକ୍ଷା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତୁରନ୍ତ ଏହି ବେଆଇନ୍ ଟୁରିଷ୍ଟ ବସ୍ ଚଳାଚଳ ଉପରେ କଡ଼ା କଟକଣା ଲଗାଯାଉ ଏବଂ ବେଆଇନ୍ ଶ୍ରମିକ ଚାଲାଣ ରୋକିବା ପାଇଁ ରାଜ୍ୟ ପରିବହନ ବିଭାଗ ଓ ଶ୍ରମ ବିଭାଗ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନ ସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *