କଣ୍ଟାମାଳ/କ୍ରାନ୍ତିକ୍ଷେତ୍ର (ମନଧର କର୍ମୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ଅନ୍ତର୍ଗତ ମଲିକୁଦ (ଉପରପଡ଼ା) ଗ୍ରାମରେ ଗଭୀର ନଳକୂପକୁ ବିଦ୍ୟୁତ ଯୋଗାଣ କରୁଥିବା ୬୩ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର ଦୀର୍ଘ ଦୁଇ ମାସ ହେଲା ପୋଡ଼ି ଅଚଳ ଅବସ୍ଥାରେ ପଡ଼ିରହିଛି। ଫଳରେ ଗଭୀର ନଳକୂପ ଉପରେ ନିର୍ଭରଶୀଳ ଚାଷୀମାନେ ଜଳସେଚନ ସମସ୍ୟାରେ ପଡ଼ି ଚିନ୍ତାରେ ରହିଛନ୍ତି। ସୂଚନା ଅନୁସାରେ, ମଲିକୁଦ ଉପରପଡ଼ା ଗ୍ରାମର ଗଭୀର ନଳକୂପରେ ଲାଗିଥିବା ୬୩ କେଭି ବିଦ୍ୟୁତ ଟ୍ରାନ୍ସଫର୍ମରଟି ପ୍ରାୟ ଦୁଇ ମାସ ପୂର୍ବେ ପୋଡ଼ିଯାଇଥିଲା। ଟ୍ରାନ୍ସଫର୍ମର ପୋଡ଼ିଯିବା ପରେ ଗଭୀର ନଳକୂପରୁ ଆବଶ୍ୟକ ଜଳସେଚନ ସୁବିଧା ପାଇବାରେ ଚାଷୀମାନେ ବାଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା ସମ୍ପର୍କରେ ଚାଷୀମାନେ ବାରମ୍ବାର ଟାଟା ପାୱାର ଅଧିକାରୀ ଓ ବିଦ୍ୟୁତ ବିଭାଗର ସମ୍ପୃକ୍ତ ଅଧିକାରୀଙ୍କୁ ଅବଗତ କରାଇଥିବା କହିଛନ୍ତି। ଚାଷୀ ରଞ୍ଜନ ମିଶ୍ର, ରବିନ୍ଦ୍ର ମିଶ୍ର, ପାଲିଙ୍କି ରଣା, ଚନ୍ଦନ ଦୀପ, କୁଶ୍ଵଲେ ରଣା ପ୍ରମୁଖ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଟ୍ରାନ୍ସଫର୍ମର ବଦଳାଇବା ଦିଗରେ କୌଣସି ଠୋସ ପଦକ୍ଷେପ ନିଆଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି। ଦୀର୍ଘ ଦୁଇ ମାସ ଧରି ଟ୍ରାନ୍ସଫର୍ମର ଅଚଳ ହୋଇ ପଡ଼ିରହିବା ଯୋଗୁଁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଚାଷ ସମୟରେ ଜଳସେଚନର ଗୁରୁତ୍ୱ ଅଧିକ ଥିବା ବେଳେ ବିଦ୍ୟୁତ ଟ୍ରାନ୍ସଫର୍ମର ଅଚଳ ହୋଇରହିବା ଚାଷୀଙ୍କ ପାଇଁ ଏକ ବଡ଼ ସମସ୍ୟା ବୋଲି ଅଭିଯୋଗ ହୋଇଛି। ନଳକୂପ ଚାଲୁ ନହେଲେ ଚାଷ ଜମିକୁ ସମୟରେ ପାଣି ଯୋଗାଇବା କଷ୍ଟକର ହେବା ସହ ଫସଲ ଉତ୍ପାଦନ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ଚାଷୀମାନେ କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇବା ପାଇଁ ବିଭିନ୍ନ ଯୋଜନା କରାଯାଉଛି। ଗଭୀର ନଳକୂପ ମାଧ୍ୟମରେ ଜମିକୁ ପାଣି ଯୋଗାଣର ବ୍ୟବସ୍ଥା ଥିଲେ ମଧ୍ୟ ବିଦ୍ୟୁତ ଟ୍ରାନ୍ସଫର୍ମର ଦୀର୍ଘଦିନ ଧରି ଅଚଳ ରହିବାରୁ ଏହାର ସୁଫଳ ଚାଷୀମାନେ ପାଇପାରୁନାହାନ୍ତି। ଏପରି ସ୍ଥିତିରେ ବିଦ୍ୟୁତ ବିଭାଗ ଓ ଟାଟା ପାୱାର କର୍ତ୍ତୃପକ୍ଷ ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ପୋଡ଼ିଯାଇଥିବା ୬୩ କେଭି ଟ୍ରାନ୍ସଫର୍ମରକୁ ଶୀଘ୍ର ବଦଳାଇ ନୂତନ ଟ୍ରାନ୍ସଫର୍ମର ସ୍ଥାପନ କରିବାକୁ ଚାଷୀମାନେ ଦାବି କରିଛନ୍ତି। ନୂତନ ଟ୍ରାନ୍ସଫର୍ମର ଲାଗି ଗଭୀର ନଳକୂପକୁ ପୁନଃ ଚାଲୁ କରାଗଲେ ଅଞ୍ଚଳର ଚାଷୀମାନେ ଜଳସେଚନ ସୁବିଧା ପାଇବା ସହ ଚାଷକାର୍ଯ୍ୟରେ ଉପକୃତ ହେବେ ବୋଲି ସ୍ଥାନୀୟ ଚାଷୀମାନେ ଆଶା ପ୍ରକାଶ କରିଛନ୍ତି।
