କୋକସରା/କ୍ରାନ୍ତିକ୍ଷେତ୍ର : ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜବାହର ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଅମିତ କୁମାର ମହାନ୍ତିଙ୍କୁ ରାଜ୍ୟସ୍ତରୀୟ ସମ୍ମାନ ପାଇଁ ମନୋନୀତ କରାଯାଇଛି। କ୍ରୀଡ଼ା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ପାରଦର୍ଶିତା ଓ ପ୍ରଶଂସନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବାକୁ ଯାଉଛି। ଆସନ୍ତା ୫ ତାରିଖ ଗୁରୁ ଦିବସ ଅବସରରେ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତାଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯିବ। ସୂଚନାଯୋଗ୍ୟ, ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ’ପଞ୍ଚସଖା ଶିକ୍ଷା ସେତୁ’ ସଂଗଠନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକଙ୍କୁ ସେମାନଙ୍କ ଉଲ୍ଲେଖନୀୟ ପାରଦର୍ଶିତା ନିମନ୍ତେ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଛି। କ୍ରୀଡ଼ା ଶିକ୍ଷକ ଅମିତ ମହାନ୍ତି ରାଜ୍ୟସ୍ତରୀୟ ସମ୍ମାନ ପାଇଁ ମନୋନୀତ ହୋଇଥିବା ଖବର ପ୍ରଚାରିତ ହେବା ପରେ କୋକସରା ଜବାହର ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସମେତ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।
