ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୁମୁଡ଼ାବାହାଲସ୍ଥିତ ଗ୍ରାମ ବିକାଶ ଶିକ୍ଷା ନିକେତନ ପରିସରରେ ପୋକ୍ସୋ ଆଇନ ଓ ପୀଡ଼ିତ କ୍ଷତିପୂରଣ ଯୋଜନା ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ତାଲୁକ ଆଇନ ସେବା କମିଟି, ଥୁଆମୂଳ ରାମପୁର ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ତାଲୁକ ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜେ.ଏମ୍.ଏଫ୍.ସି ଡଃ ତାରିଣୀ ପ୍ରସାଦ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୋକ୍ସୋ ଆଇନ ଅନୁଯାୟୀ ପୀଡ଼ିତଙ୍କ ପାଇଁ ରହିଥିବା କ୍ଷତିପୂରଣ ବ୍ୟବସ୍ଥା ସମେତ ନାଲସା ପକ୍ଷରୁ ପ୍ରଣୀତ କ୍ଷତିପୂରଣ ଯୋଜନା-୨୦୧୮ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଡଃ ତାରିଣୀ ପ୍ରସାଦ ସାହୁ ଉପସ୍ଥିତ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ପୋକ୍ସୋ ଆଇନର ବିଭିନ୍ନ ଦିଗ ସମ୍ପର୍କରେ ସଚେତନ କରାଇଥିଲେ। ଯୌନ ନିର୍ଯାତନାର ଶିକାର ଶିଶୁ ଓ ମହିଳା ପୀଡ଼ିତାଙ୍କୁ ଆଇନଗତ ସୁରକ୍ଷା, ସହାୟତା ଏବଂ କ୍ଷତିପୂରଣ ପ୍ରଦାନ ପାଇଁ ରହିଥିବା ବ୍ୟବସ୍ଥା ବିଷୟରେ ସେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ। ଅନ୍ୟାୟ ଓ ଯୌନ ନିର୍ଯାତନା ଘଟଣାକୁ ଲୁଚାଇ ନ ରଖି ଆଇନର ଆଶ୍ରୟ ନେବା ସହିତ ପୀଡ଼ିତଙ୍କ ଅଧିକାର ସମ୍ପର୍କରେ ସଚେତନ ରହିବାକୁ ସେ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ଆଇନଜୀବୀ ମନୋରଞ୍ଜନ ନାଏକ, ଏପିପି ସୁଧାଂଶୁ ନାଏକ, କର୍ତ୍ତବ୍ୟ ଅନୁଷ୍ଠାନର ବ୍ଲକ ସଂଯୋଜକ ସୁଦର୍ଶନ ନାଏକ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ ଆଦର୍ଶ ମହାନ୍ତି ପ୍ରମୁଖ ମଞ୍ଚାସୀନ ରହିଥିଲେ। ଶିକ୍ଷକ ନୀଳମାଧବ ପାଢ଼ୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଏଥିରେ ସାମିଲ ହୋଇ ପୋକ୍ସୋ ଆଇନ ଏବଂ ପୀଡ଼ିତ କ୍ଷତିପୂରଣ ବ୍ୟବସ୍ଥା ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ। ଜୀମୀ ବେହେରା ଓ ହେଡ୍ କ୍ଲର୍କ ଅଶୋକ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
