କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ମୂଷାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖପରାମାଲ ଗ୍ରାମରୁ ଆମପଡ଼ାକୁ ସଂଯୋଗ କରୁଥିବା ରାସ୍ତା ଦୀର୍ଘ ଦିନ ହେବ ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଛି। ଅଣଓସାରିଆ ତଥା ଖାଲଖମାରେ ଭର୍ତ୍ତି ଏହି କାଦୁଅ ରାସ୍ତାରେ ପ୍ରତିଦିନ ଯାତାୟାତ କରି ଆମପଡ଼ାବାସୀ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟଟି ବନ୍ଦ ହୋଇଯିବା ଫଳରେ ସ୍ଥାନୀୟ ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ ୨ ରୁ ୩ କିଲୋମିଟର ଦୂର ଖପରାମାଲ ସ୍ଥିତ ବିଦ୍ୟାଳୟକୁ ପଢ଼ିବାକୁ ଯାଉଛନ୍ତି। ଏହାସହ ସାଧାରଣ ଲୋକେ ନିତ୍ୟବ୍ୟବହାର୍ଯ୍ୟ କାର୍ଯ୍ୟ ପାଇଁ ନିକଟସ୍ଥ ବେହେରା ଗ୍ରାମ ଉପରେ ନିର୍ଭର କରୁଛନ୍ତି। ତେବେ ରାସ୍ତାସାରା ଖାଲଖମା ଓ କାଦୁଅ ହୋଇଥିବାରୁ ସ୍କୁଲ, କଲେଜ ଛାତ୍ରଛାତ୍ରୀ ଓ ଆମପଡ଼ାବାସୀ ସାଇକେଲ କିମ୍ବା ବାଇକରୁ ଖସିପଡ଼ି ପ୍ରତିଦିନ ଦୁର୍ଘଟଣାର ଶିକାର ହେଉଛନ୍ତି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ରାସ୍ତାର ଅବସ୍ଥା ଅତ୍ୟନ୍ତ ଖରାପ ଥିବାରୁ ଜରୁରୀକାଳୀନ ପରିସ୍ଥିତିରେ ଗ୍ରାମକୁ ଆମ୍ବୁଲାନ୍ସ ପହଞ୍ଚିପାରୁ ନାହିଁ। ଫଳରେ ଗୁରୁତର ରୋଗୀଙ୍କୁ କେନାଲ ଛକ ପର୍ଯ୍ୟନ୍ତ ବୋହି ନେବା ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେବାକୁ ପଡୁଛି। ଏହି ଗମ୍ଭୀର ସମସ୍ୟାକୁ ଦୃଷ୍ଟିରେ ରଖି ତୁରନ୍ତ ପଞ୍ଚାୟତ ତଥା କୋକସରା ବ୍ଲକ ପ୍ରଶାସନ ପଦକ୍ଷେପ ଗ୍ରହଣ କରି ଖପରାମାଲ-ଆମପଡ଼ା ରାସ୍ତାର ମରାମତି କରିବାକୁ ସ୍ଥାନୀୟ ପଡ଼ାବାସୀ ଦାବି କରିଛନ୍ତି।
