ସଇଁତଲାକୁ ଏନ୍‌ଏସି ଦାବିରେ ଅଷ୍ଟମ ଦିନରେ ଗଣଧାରଣା

ବଲାଙ୍ଗୀର/କ୍ରାନ୍ତିକ୍ଷେତ୍ର (ଚୌଧୀରି ସାହୁ ) : ସଇଁତଲା ସହରକୁ ଏନ୍‌ଏସି ମାନ୍ୟତା ପ୍ରଦାନ ଦାବି ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଦାବି ପୂରଣ ନହେବାରୁ ସଇଁତଲା ସରପଞ୍ଚ ସୁବ୍ରତ ନାଗଙ୍କ ନେତୃତ୍ୱରେ ଚାଲିଥିବା ଅନିର୍ଦ୍ଦିଷ୍ଟକାଳୀନ ଗଣଧାରଣା ମଙ୍ଗଳବାର ଅଷ୍ଟମ ଦିନରେ ପହଞ୍ଚିଛି। ଧାରଣା ସ୍ଥଗିତ କରିବା ପାଇଁ ସଇଁତଲା ବିଡିଓ ପୁରୁଷୋତ୍ତମ ମିର୍ଦ୍ଧା ଓ ଥାନାଧିକାରୀ ଖଗପତି ବିଶ୍ୱାଳ ଧାରଣାକାରୀଙ୍କ ସହ ଆଲୋଚନା କରିଥିଲେ। ତେବେ ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ବିଧାୟକଙ୍କ ପକ୍ଷରୁ ଦାବି ପୂରଣ ନେଇ ସ୍ପଷ୍ଟ ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଧାରଣାକାରୀମାନେ ସ୍ପଷ୍ଟ କରିଥିଲେ। ଏହି ଆନ୍ଦୋଳନକୁ ସହରର ବିଭିନ୍ନ ପଡାବାସୀ ତଥା ଶଙ୍କର ଚୋକ, ଶିବ ମନ୍ଦିର ପଡା, ଜଗନ୍ନାଥ ମନ୍ଦିର ପଡା, ଅଖିଲ ଭାରତୀୟ ଓଡିଶା ବିଦ୍ୟୁତ୍ ମଜଦୂର ସଂଘ୍ ର କର୍ମକର୍ତ୍ତା ଏବଂ ରାଜନୈତିକ ଦଳର କର୍ମକର୍ତ୍ତା, ସାମାଜିକ ସଂଗଠନ ଓ ସାଧାରଣ ଲୋକଙ୍କ ସମର୍ଥନ ମିଳୁଛି। ଅଷ୍ଟମ ଦିନରେ ସଇଁତଲା ବ୍ଲକ ସମିତି ସଭ୍ୟ ସଂଘ ଧାରଣାସ୍ଥଳରେ ପହଞ୍ଚି ଦାବିକୁ ସମର୍ଥନ ଜଣାଇଥିଲା। ସଇଁତଲାକୁ ଏନ୍‌ଏସି ଘୋଷଣା କରା ନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଧାରଣାସ୍ଥଳରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ଭୋଇ, ଗଣ୍ଡପତ୍ରାପାଲି ସମିତି ସଭ୍ୟ ରାକେଶ ନାୟକ, ଶିଶକେଳା ସମିତି ସଭ୍ୟ ଉମାକାନ୍ତ ରଣା, ମଣ୍ଟୁ ନାଗ, ନବୀନ ରଣାଙ୍କ ସମେତ ବ୍ଲକର ସମସ୍ତ ସମିତି ସଭ୍ୟ ଓ ସଭ୍ୟା ଉପସ୍ଥିତ ଥିଲେ।ଅତିଥିମାନେ ସଇଁତଲାକୁ ଏନ୍‌ଏସି ମାନ୍ୟତା ପ୍ରଦାନ ପାଇଁ ସରକାରଙ୍କ ନିକଟରେ ଦାବି ରଖିଥିଲେ। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ସେମାନେ କହିଥିଲେ। ସ୍ଥାନୀୟ ଲୋକଙ୍କ ମତରେ, ସଇଁତଲାକୁ ଏନ୍‌ଏସି ମାନ୍ୟତା ମିଳିଲେ ସହରାଞ୍ଚଳ ଭିତ୍ତିଭୂମିର ବିକାଶ ସହ ପ୍ରଶାସନିକ କାର୍ଯ୍ୟ ଅଧିକ ସୁବ୍ୟବସ୍ଥିତ ହୋଇପାରିବ। ଏହା ସହରର ବିକାଶକୁ ନୂଆ ଦିଗ ଦେବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି, ସଇଁତଲାକୁ ଏନ୍‌ଏସି ମାନ୍ୟତା ପ୍ରଦାନ ନେଇ ଦୀର୍ଘଦିନ ଧରି ଦାବି ହୋଇଆସୁଛି। ୨୦୨୫ରେ ରାଜ୍ୟରେ ପ୍ରସ୍ତାବିତ ନୂତନ ଏନ୍‌ଏସି ଗଠନ ପ୍ରସଙ୍ଗରେ ମଧ୍ୟ ସଇଁତଲାର ନାମ ସାମ୍ନାକୁ ଆସିଥିଲା। ହେଲେ ଦାବି ପୂରଣ ନହେବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଦୀର୍ଘଦିନର ଦାବି ସତ୍ତ୍ୱେ ସରକାରୀ ସ୍ତରରେ ଏଯାଏଁ ସ୍ପଷ୍ଟ ନିଷ୍ପତ୍ତି ନହେବାକୁ ନେଇ ବୁଦ୍ଧିଜୀବୀ ମହଲରେ ମଧ୍ୟ ଆଲୋଚନା ହେଉଛି। ଶୀଘ୍ର ଏନ୍‌ଏସି ମାନ୍ୟତା ନେଇ ନିଷ୍ପତ୍ତି ନହେଲେ ଆନ୍ଦୋଳନ ଆହୁରି ତୀବ୍ର ହେବାର ଆଶଙ୍କା ରହିଛି।

Leave a Reply

Your email address will not be published. Required fields are marked *