ମୈଦଲପୁର–ଝରିଗାଁ ରାସ୍ତା ନା ମୃତ୍ୟୁପଥ!

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର : ନବରଙ୍ଗପୁର ଜିଲ୍ଲାର ମୈଦଲପୁରରୁ ମାଝୀଗୁଡା ଦେଇ ଝରିଗାଁକୁ ସଂଯୋଗ କରୁଥିବା ପ୍ରାୟ ୩୫ କିଲୋମିଟର ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମାରେ ଭର୍ତ୍ତି ହେବା ସହ ରାସ୍ତା ସଙ୍କୁଚିତ ଥିବାରୁ ଯାତାୟାତରେ ସମସ୍ୟା ଦେଖାଦେଉଛି। ଘଞ୍ଚ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳ ଦେଇ ଯାଇଥିବା ଏହି ରାସ୍ତାରେ କେତେକ ଜାଗାରେ ରାସ୍ତା ସଂକୀର୍ଣ୍ଣ ଥିବା ସହ ତୀବ୍ର ଅଙ୍କାବଙ୍କା ଓ ଘାଟି ରହିଛି। ଏକା ସାଙ୍ଗରେ ଦୁଇଟି ଯାନ ଯିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।ବିଶେଷ କରି ଏହି ରାସ୍ତା ସଙ୍କୁଚିତ ଥିବା ହେତୁ ଭାରିଯାନ ଯାନବାହନ ଯାତାୟତରେ ନାହିଁ ନଥିବା ଅସୁବିଧା ହେବାକୁ ପଡୁଛି ।ରାସ୍ତା ଖରାପ ଯୋଗୁଁ ନିୟମିତ ଯାଉଥିବା ଝରିଗାଁ ବସ ଦିନେ ଅଧେ ବନ୍ଦ ରହୁଥିବା ଦେଖିବାକୁ ମିଳୁଛି ।ଅନେକ ସ୍ଥାନରେ ଖାଲଖମା, ଉଚ୍ଚନୀଚ ଅଂଶ ଓ ଅସମତଳ ପିଚ୍‌ ଥିବାରୁ ଯାନ ଚଳାଚଳ ପ୍ରଭାବିତ ହେଉଛି। ଏହା ସହ ବହୁ ସଂଖ୍ୟକ ଗାଈଗୋରୁ ନେଇ ଗୋପାଳକ ମାନେ ଏହି ରାସ୍ତା ଦେଇ ଯାତାୟାତ କରୁଥିବାରୁ କେତେକ ସମୟରେ ଯାନ ଚଳାଚଳ ଧୀମା ହେଉଥିବା ଦେଖାଦେଇଛି। ଏହି ରାସ୍ତା ଉପରେ ଦୈନନ୍ଦିନ ଅନେକ ସରକାରୀ କର୍ମଚାରୀ ଓ ସାଧାରଣ ଲୋକେ ନିୟମିତ ନିର୍ଭର କରୁଛନ୍ତି। ମାତ୍ର କିଛି କିଲୋମିଟର ଦୂରତା ଅତିକ୍ରମ କରିବାକୁ ମଧ୍ୟ ରାସ୍ତାର ସ୍ଥିତି ଯୋଗୁଁ ଅଧିକ ସମୟ ଲାଗୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଫଳରେ ଦୈନିନ୍ଦିନ କାର୍ଯ୍ୟ ଓ ଯାତାୟାତ ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି। ରାସ୍ତା ର ଗୁଣବତ୍ତା ଠିକ୍ ନଥିବାରୁ ସ୍ୱାସ୍ଥ୍ୟସେବା ନେଇ ମଧ୍ୟ ଚିନ୍ତା। ଏହି ଅଞ୍ଚଳ ମ୍ୟାଲେରିଆ ପ୍ରବଣ ହୋଇଥିବାରୁ ବିଭିନ୍ନ ରୋଗୀ ଚିକିତ୍ସା ପାଇଁ ଏହି ରାସ୍ତା ଦେଇ ଯାତାୟାତ କରିବାକୁ ପଡ଼େ। ଗର୍ଭବତୀ ଓ ପ୍ରସୂତୀ ମା’, ଶିଶୁ ଏବଂ ଗୁରୁତର ରୋଗୀମାନେ ମଧ୍ୟ ଏହି ରାସ୍ତା ଉପରେ ନିର୍ଭରଶୀଳ। ଜରୁରୀ ସମୟରେ ଆମ୍ବୁଲାନ୍ସ ଯାତାୟାତରେ ବିଳମ୍ବ ହେଉଥିବା ଅଭିଯୋଗ ରହିଛି। ଏହା ଯୋଗୁଁ ରୋଗୀଙ୍କୁ ସମୟ ମଧ୍ୟରେ ହସ୍ପିଟାଲରେ ପହଞ୍ଚାଇବା ନେଇ ଚିନ୍ତା ପ୍ରକାଶ ପାଇଛି।ରାସ୍ତାର ସଂକୀର୍ଣ୍ଣତା, ତୀବ୍ର ଅଙ୍କବଙ୍କା, ଘାଟି ଓ ଅସମତଳ ରାସ୍ତା ଯୋଗୁଁ ଦୁର୍ଘଟଣାର ଆଶଙ୍କା ବଢ଼ୁଥିବା ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି। ତେଣୁ ଦୁର୍ଘଟଣାପ୍ରବଣ ସ୍ଥାନଗୁଡ଼ିକୁ ଚିହ୍ନଟ କରି ସୁରକ୍ଷା ବ୍ୟବସ୍ଥା କରିବା ନେଇ ଅନେକ ଥର ଦାବି ହୋଇଛି। ବିଭାଗୀୟ କର୍ତ୍ତୃପକ୍ଷ ପକ୍ଷରୁ ତଦାରଖ କରି ଖାଲଖମା ଓ ଅସମତଳ ଅଂଶର ମରାମତି, ଆବଶ୍ୟକ ପ୍ରଶସ୍ତୀକରଣ ଏବଂ ବିପଦସଙ୍କୁଳ ଅଙ୍କାବଙ୍କା ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଆବଶ୍ୟକ ସ୍ଥାନରେ ପାସିଂ ବେରିକେଟ, କ୍ରଶ୍‌ ବ୍ୟାରିଅର, ରିଫ୍ଲେକ୍ଟର ଓ ଚେତାବନୀମୂଳକ ସୂଚନା ଫଳକ ସ୍ଥାପନ କରାଯାଇନାହିଁ। ଅସ୍ଥାୟୀ ମରାମତି ନକରି ମୈଦଲପୁର–ମାଝିଗୁଡ଼ା–ଝରିଗାଁ ର ସମ୍ପୂର୍ଣ ରାସ୍ତା  ପ୍ରଶସ୍ତୀକରଣ, ନବୀକରଣ ଓ ସ୍ଥାୟୀ ଉନ୍ନତୀକରଣ ସହ ନିୟମିତ ରକ୍ଷଣାବେକ୍ଷଣ କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏହା ଦ୍ୱାରା ଯାତାୟାତ ସୁବିଧା ସହ ଜରୁରୀ ସ୍ୱାସ୍ଥ୍ୟସେବା ଅଧିକ ସୁଗମ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *