ମା’ ଘାଟିମୁଣ୍ଡିଆଣୀ ଦେବୀଙ୍କ ଡଙ୍ଗର ଯାତ୍ରା ସମ୍ପନ୍ନ 

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଳକ ଗୋତମୁଣ୍ଡା ଠାରେ ମା’ ସର୍ବ ମଙ୍ଗଳା ଘାଟିମୁଣ୍ଡିଆଣି ଦେବୀଙ୍କ ‘ଡଙ୍ଗର ଯାତ୍ରା’ ପାରମ୍ପରିକ ବିଧିବିଧାନ ସହ ମଙ୍ଗଳବାର ସମ୍ପନ୍ନ ହୋଇଛି। ସାହାଜଖୋଲ ସଂରକ୍ଷିତ ଜଙ୍ଗଳ ପାଦଦେଶରେ ଥିବା ଅଠରନଳା ଘାଟିରେ ଅନୁଷ୍ଠିତ ଏହି ଯାତ୍ରାରେ କଳାହାଣ୍ଡି, ନବରଙ୍ଗପୁର ଓ ପଡ଼ୋଶୀ ରାଜ୍ୟରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ପ୍ରଥା ଅନୁସାରେ, ଶ୍ରାବଣ ମାସ ପୂର୍ଣ୍ଣିମା ପରବର୍ତ୍ତୀ ମଙ୍ଗଳବାର ଦିନ ଏହି ଯାତ୍ରା କରାଯାଇଥାଏ। ହେଲେ ଚଳିତ ବର୍ଷ କୌଣସି କାରଣରୁ ସପ୍ତାହେ ବିଳମ୍ବରେ ଏହି ଯାତ୍ରା ପାଳନ ହୋଇଥିଲେ ହେଁ ଜନ ସମୁଦ୍ର ହୋଇଥିଲା ଦେବୀଙ୍କ ପୀଠ। ସକାଳୁ ଗ୍ରାମ ପୁଝାରୀଙ୍କ ନେତୃତ୍ୱରେ ଗୋତମୁଣ୍ଡା ଗ୍ରାମରୁ କାଲିସି ଓ ଲାଠି ଯାତ୍ରା ସହ ଶ୍ରଦ୍ଧାଳୁମାନେ ପ୍ରାୟ ଅଢ଼େଇ କିଲୋମିଟର ରାସ୍ତା ଚାଲିଚାଲି ଦେବୀଙ୍କ ଜଙ୍ଗଲ ମଧ୍ୟରେ ଥିବା ଆସ୍ଥାନରେ ପହଞ୍ଚିଥିଲେ। ମା’ ସର୍ବମଙ୍ଗଳାଙ୍କ ମୁଖ୍ୟ ପୁଝାରୀ ମନୋହର ପୁଝାରୀ ଦେବୀଙ୍କ ସମସ୍ତ ପୂଜାକାର୍ଯ୍ୟ ଓ ତନ୍ତ୍ର ଗୁପ୍ତନୀତି ସମ୍ପାଦନ କରିଥିଲେ। ଏହି ଯାତ୍ରାରେ ମାନସିକଧାରୀ ଶ୍ରଦ୍ଧାଳୁମାନେ ମା’ଙ୍କ ପାଖରେ ଶୁକ୍ଳ ଭୋଗ ସହ ବହୁ ସଂଖ୍ୟାରେ ରକ୍ତ ଭୋଗ ଅର୍ପଣ କରିଥିଲେ। ନିଜର ମାନସିକ ପୂରଣ ପାଇଁ ଶତାଧିକ ଭକ୍ତ ପାରା, କୁକୁଡ଼ା ଓ ବୋଦା ବଳି ଦେଇଥିଲେ। ଶହ ଶହ ପଶୁପକ୍ଷୀଙ୍କ ବଳି ଯୋଗୁଁ ଦେବୀଙ୍କ ପୀଠ ରକ୍ତରଞ୍ଜିତ ହୋଇଉଠିଥିଲା। କଳାହାଣ୍ଡି ଜିଲ୍ଲା ସମେତ ପଡ଼ୋଶୀ ନବରଙ୍ଗପୁର ଏବଂ ଛତିଶଗଡ଼ର ବସ୍ତର ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଆସି ଦେବୀଙ୍କ କୃପା ଭିକ୍ଷା କରିବା ସହ ଡଙ୍ଗର ଯାତ୍ରାରେ ସାମିଲ ହୋଇଥିଲେ। କଳାହାଣ୍ଡିର ଏହି ପ୍ରାଚୀନ ଅଭିଚାର ତନ୍ତ୍ର ଓ ଆଦିବାସୀ ସଂସ୍କୃତିର ଧାରା ଆଜି ବି ନିଜର ସ୍ୱତନ୍ତ୍ରତା ବଜାୟ ରଖିଛି। କମିଟିର ସଭାପତି ହେମନ୍ତ ମାଝୀ, ନାଏବ ସରପଞ୍ଚ ପାର୍ଥବ ମାଝୀ, ପୁର୍ଣ୍ଣଚନ୍ଦ୍ର ନାଏକ, ହିମାଞ୍ଚଳ ପୁଝାରୀ, ବଳିଆର ସିଂ ମୋରାଇ, ରତନ ମାଝୀ, ଲକ୍ଷ୍ମୀଧର ପଟେଲ, ଯଦୁମଣି ଦୁର୍ଗା, ନିରଞ୍ଜନ ବାଗ, ବଳରାମ ମାଝୀ, ମୁକୁନ୍ଦ ନାଗେଶ ସମେତ ପ୍ରମୁଖ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ। ଆମପାଣି ଥାନା ପୋଲିସ ଓ ଆଇଆରବି ଜବାନମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।

Leave a Reply

Your email address will not be published. Required fields are marked *