ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ ୬ ନମ୍ବର ରାଜ୍ୟ ରାଜପଥରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ନ ସମୟରେ ବିଶ୍ୱନାଥପୁର ଅଞ୍ଚଳରୁ ଜଣେ ବ୍ୟକ୍ତି ନିଜ କାମ ସାରି ଧଳା ରଙ୍ଗର କାର ଯୋଗେ ନିଜ ଘରକୁ ଫେରୁଥିଲେ। ସିକେରକୁପା ନିକଟସ୍ଥ ଜଙ୍ଗଲ ଘେରା ରାସ୍ତାରେ ବିପରୀତ ଦିଗରୁ ଅତି ଦ୍ରୁତ ଗତିରେ ଆସୁଥିବା ଏକ ସିଜି୦୪କିୟୁପି୧୦୭୬ ପିକଅପ ଭ୍ୟାନ ହଠାତ ଭାରସାମ୍ୟ ହରାଇ ସାମ୍ନାରୁ ଆସୁଥିବା କାରକୁ ପ୍ରଚଣ୍ଡ ବେଗରେ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରରେ ଥିଲା ଯେ କାରର ଆଗ ଭାଗ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି, ବନେଟ ମୋଡ଼ି ହୋଇ ଇଞ୍ଜିନ ପର୍ଯ୍ୟନ୍ତ ନଷ୍ଟ ହୋଇଛି। ସୌଭାଗ୍ୟବଶତଃ କାର ଚାଳକ ଓ ଭିତରେ ବସିଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ରାସ୍ତାରେ ବର୍ଷା ପାଣି ଜମିଥିବା ଓ ରାସ୍ତା ଓଦା ଥିବାରୁ ଗାଡ଼ି ସ୍ଲିପ ହୋଇ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଏହି ରାଜପଥରେ ନିତି ଦ୍ରୁତ ଗତି ଯୋଗୁଁ ଦୁର୍ଘଟଣା ଘଟୁଛି। ଆଜିର ଘଟଣା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଛନ୍ତି। ଖବର ପାଇ ସିକେରକୁପା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି।
