ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ କୁମାର ସେନାପତି) : ରେଳ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ। ବିଳମ୍ବିତ ରାତିରେ ରେଳ ଟ୍ରାକ୍ ପାର ହେଉଥିବା ବେଳେ ଘଟିଛି ଏହି ଅଘଟଣ। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ବୃନ୍ଦାବାଡ଼ି ନିକଟରେ ହାତୀଟିକୁ ରେଳ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିଷମକଟକ-ଥେରୁବାଲି ରେଳ ଲାଇନର କେଏମ ପୋଲ ନମ୍ବର ୩୧୨.୫୭ ନିକଟରେ ଘଟିଛି ଏହି ଦୁର୍ଘଟଣା। ବିଳମ୍ବିତ ରାତିରେ ହାତୀଟି ରେଳ ଟ୍ରାକ୍ ପାର ହେଉଥିବା ସମୟରେ ଟ୍ରେନ୍ ଧକ୍କା ଦେଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇ ରେଳ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗକୁ ସୂଚନା ଦେଇଥିଲେ। ପରେ ବନ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତ୍ୟୁ ନେଇ ତଦନ୍ତ ଆରମ୍ଭ କରିଛି। ତେବେ କେଉଁ ଟ୍ରେନ୍ ଧକ୍କାରେ ହାତୀର ମୃତ୍ୟୁ ହୋଇଛି ଏବଂ ଘଟଣାର ସଠିକ୍ କାରଣ କଣ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
