କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ଥାନା ଅନ୍ତର୍ଗତ ଚିତାମୁଣ୍ଡା ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି। ଲୁହା ଶାବଳରେ ଆକ୍ରମଣ କରି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ନେଇ କୋକସରା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଲେ ଚିତାମୁଣ୍ଡା ଗ୍ରାମର ଚନ୍ଦ୍ରମଣି ପୁଞ୍ଜି। ଅଭିଯୋଗ ଅନୁଯାୟୀ, ଗୁରୁବାର ଅପରାହ୍ନରେ ଚନ୍ଦ୍ରମଣି ନିଜ ଚାଷ ଜମିକୁ ବାଇକ ଯୋଗେ ଯାଉଥିବା ସମୟରେ, ପୂର୍ବରୁ ସ୍ଥାନୀୟ ସ୍କୁଲ ନିକଟରେ ଛକି ରହିଥିବା ସେହି ଗ୍ରାମର ଅରବିନ୍ଦ ହଂସ ଅତର୍କିତ ଭାବେ ତାଙ୍କ ମୁଣ୍ଡରେ ଲୁହା ଶାବଳରେ ଆକ୍ରମଣ କରିଥିଲେ। ଫଳରେ ଚନ୍ଦ୍ରମଣି ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ। ଅରବିନ୍ଦଙ୍କ ସମେତ ଗ୍ରାମର ଅନ୍ୟ କେତେଜଣ ଯୁବକ ମଧ୍ୟ ଏହି ଆକ୍ରମଣରେ ସହଯୋଗ କରିଥିବା ଅଭିଯୋଗରେ କୁହାଯାଇଛି। ପରିବାର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଚନ୍ଦ୍ରମଣିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅତି ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ନେଇ ଆକ୍ରମଣର ଶିକାର ହୋଇଥିବା ଚନ୍ଦ୍ରମଣିଙ୍କ ସ୍ତ୍ରୀ ହେମନ୍ତି ପୁଞ୍ଜି କୋକସରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି। ଖୁବ୍ଶୀଘ୍ର ମୁଖ୍ୟ ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀମାନଙ୍କୁ ଗିରଫ କରାଯିବ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି।
