ଦଧିବାମନ ଉଚ୍ଚ ବିଦ୍ୟାଳୟରେ ‘ସଂସ୍କୃତ ଦିବସ’ ପାଳିତ 

କଣ୍ଟାମାଳ/କ୍ରାନ୍ତିକ୍ଷେତ୍ର (ମନଧର କର୍ମୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ରୁଣ୍ଡିମହୁଲସ୍ଥିତ ଶ୍ରୀ ଦଧିବାମନ ଉଚ୍ଚ ବିଦ୍ୟାଳୟ ପରିସରରେ ‘ସଂସ୍କୃତ ଦିବସ’ ପାଳିତ ହୋଇଯାଇଛି। ବିଦ୍ୟାଳୟରେ ସଂସ୍କୃତ ଭାଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି କରିବା ସହ ଭାରତୀୟ ଜ୍ଞାନ, ସଂସ୍କୃତି ଓ ପରମ୍ପରା ସହିତ ସେମାନଙ୍କୁ ପରିଚିତ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଆୟୋଜିତ ସଭାରେ ବିଦ୍ୟାଳୟର ସହକାରୀ ଶିକ୍ଷକ ରାଜକିଶୋର ସାହୁ ସଭାପତିତ୍ୱ କରିଥିବାବେଳେ ସଂସ୍କୃତ ଶିକ୍ଷକ ଅଗ୍ନିହୋତ୍ରୀ ପଣ୍ଡିତ ନିରଞ୍ଜନ ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। କଣ୍ଟାମାଳ ପଞ୍ଚାୟତ ଡିଗ୍ରୀ କଲେଜର ସଂସ୍କୃତ ବିଭାଗ ମୁଖ୍ୟ ପୌଲସ୍ତି ପ୍ରଧାନ ମୁଖ୍ୟ ଅତିଥି ତଥା ବକ୍ତା ଭାବେ ଯୋଗଦେଇ ସଂସ୍କୃତ ଭାଷାର ମହତ୍ତ୍ୱ ଓ ଗୌରବମୟ ପରମ୍ପରା ସମ୍ପର୍କରେ ଆଲୋକପାତ କରିଥିଲେ। ସେ ସଂସ୍କୃତକୁ ‘ଦେବଭାଷା’ ଭାବେ ଅଭିହିତ କରି ଏହି ଭାଷାରେ ଭାରତୀୟ ଜ୍ଞାନ, ଦର୍ଶନ, ସାହିତ୍ୟ, ବିଜ୍ଞାନ ଓ ସଂସ୍କୃତିର ବହୁମୂଲ୍ୟ ଭଣ୍ଡାର ସଂରକ୍ଷିତ ରହିଥିବା କହିଥିଲେ। ସଂସ୍କୃତ ଭାଷା କେବଳ ଏକ ପ୍ରାଚୀନ ଭାଷା ନୁହେଁ, ବରଂ ଭାରତୀୟ ସଭ୍ୟତା ଓ ସାଂସ୍କୃତିକ ଚେତନାର ଏକ ମୁଖ୍ୟ ଆଧାର ବୋଲି ସେ ମତବ୍ୟକ୍ତ କରିଥିଲେ। ଛାତ୍ରଛାତ୍ରୀମାନେ ସଂସ୍କୃତ ଭାଷା ଅଧ୍ୟୟନ କରି ଏହାର ଜ୍ଞାନ ଓ ସାହିତ୍ୟିକ ପରମ୍ପରାକୁ ଆଗକୁ ନେବା ସହିତ ନିଜ ଜୀବନରେ ଏହାର ମୂଲ୍ୟବୋଧକୁ ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶ୍ଳୋକ ଉଚ୍ଚାରଣ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ସିଦ୍ଧିଶ୍ରୀ ସାହୁ, ଧରିତ୍ରୀ ସାନ୍ଧା, ମୋନାଲିସା ସାହୁ, ଅଧ୍ୟାସା ଅନୁରାଧା ବାରିକ, ବର୍ଷା ବାଘ ଓ ପ୍ରୀତମ ନାୟକଙ୍କ ସମେତ ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପୁରସ୍କୃତ କରାଯାଇଥିଲା। ଏହା ଫଳରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଂସ୍କୃତ ଭାଷା ପ୍ରତି ଆଗ୍ରହ ଓ ଉତ୍ସାହ ଆହୁରି ବୃଦ୍ଧି ପାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ ମାର୍କଣ୍ଡ ନାଗ, ସଙ୍ଗତ ଗୁରୁ ଓ ମନୋଜ ବଡ଼ଚାଟଙ୍କ ସମେତ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ରହି ସଂସ୍କୃତ ଦିବସ ପାଳନକୁ ସଫଳ କରିଥିଲେ। ସମଗ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିସରରେ ଏକ ଶିକ୍ଷଣୀୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଶେଷରେ ସଂସ୍କୃତ ଶିକ୍ଷକ ନିରଞ୍ଜନ ସାହୁ ସମସ୍ତ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଶାନ୍ତି ମନ୍ତ୍ର ପାଠ ସହ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା।

Leave a Reply

Your email address will not be published. Required fields are marked *