ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ : ସଂସ୍କାର ଭାରତୀ କଳାହାଣ୍ଡି ଓ ମାରବାଡି ଯୁବ ମଞ୍ଚ ଜାଗୃତି ଶାଖା ଅନୁକୂଲ୍ୟରେ ଭାରତୀୟ କଳା ଦର୍ଶନ ଉପରେ ଶିଶୁ ଓ ମହିଳାମାନଙ୍କୁ ନେଇ ଗତ ୭ଦିନ ଧରି ଚାଲିଥିବା କର୍ମଶାଳା ଆଜି ଉଦଯାପିତ ହୋଇଛି। ସ୍ଥାନୀୟ ଅଗ୍ରସେନ ଭବନ ଭବାନୀପାଟଣାଠାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ କ୍ଷୀରସିନ୍ଧୁ ଭୋଇ ଚିତ୍ରଶିଳ୍ପୀ ତଥା ସଂସ୍କାର ଭାରତୀ ଉତ୍କଳ ପଶ୍ଚିମ ପ୍ରାନ୍ତର ଚିତ୍ରକଳା ସଂଯୋଜକ ଓ ସଭ୍ୟା ଭାରତୀ ସାହୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ରେ ୨୫ ଜଣ ଶିଶୁ ଓ ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରି ନିଜସ୍ଵ ଚିତ୍ର ଅଙ୍କନ କରିଥିଲେ। କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ସଂସ୍କାର ଭାରତୀ ଉତ୍କଳ ପଶ୍ଚିମ ପ୍ରାନ୍ତର ଅଧ୍ୟକ୍ଷ ହରେକୃଷ୍ଣ ଭୋଇ ଉପସ୍ଥିତ ସୃଜନ ମଣ୍ଡଳୀକୁ ସଂସ୍କାର ଭାରତୀର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ଅନ୍ୟାନ୍ୟ ଅତିଥି ବିଶିଷ୍ଠ ଶିକ୍ଷାବିତ ଡ଼. ଉମେଶ ଚନ୍ଦ୍ର ଶତପଥି ସମସ୍ତ ପ୍ରତିଯୋଗୀମାନଙ୍କ ଚିତ୍ର ଅଙ୍କନକୁ ଭୁୟସୀ ପ୍ରସଂଶା କରିଥିଲେ। ତହସିଲଦାର ଶୁଭସ୍ମିତା ମିଶ୍ର ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହିତ ପ୍ରମାଣ ପତ୍ର ବଣ୍ଟନ କରିଥିଲେ। ଅନ୍ୟତମ ଅତିଥି ତଥା ସଂସ୍କାର ଭାରତୀ ଉତ୍କଳ ପଶ୍ଚିମ ପ୍ରାନ୍ତର ମହାମନ୍ତ୍ରୀ ଉମେଶ ଚନ୍ଦ୍ର ପଣ୍ଡା ଆଗାମୀ ଦିନରେ ସଂସ୍କାର ଭାରତୀ ଏପରି କାର୍ଯ୍ୟକ୍ରମର ନିଶ୍ଚିତ ସ୍ଥାପନ କରିବ ବୋଲି ମତ ପୋଷଣ କରିଥିଲେ। ବର୍ଷିୟାନ ଚିତ୍ରଶିଳ୍ପୀ ଅକ୍ଷୟ କୁମାର ପଟ୍ଟନାୟକ ସମସ୍ତ ଚିତ୍ରଶିଳ୍ପୀଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ମାରବାଡି ଯୁବ ମଞ୍ଚର ସଭାପତି ଶୈଳେଶ କୁମାର ଓ ଜାଗୃତି ଶାଖାର ସମ୍ପାଦକ ଜ୍ୟୋତି ଅଗ୍ରୱାଲ ଓ ମାରୱାଡି ମହିଳା ମଞ୍ଚର ସଭାନେତ୍ରୀ ରାକ୍ଷୀ ଶର୍ମା ଏପରି କାର୍ଯ୍ୟକ୍ରମ ସଂଯୋଜନା ପାଇଁ ସଂସ୍କାର ଭାରତୀକୁ ଧନ୍ୟବାଦ ପ୍ରଦାନ କରିଥିଲେ। ସଂସ୍କାର ଭାରତୀ ପ୍ରାନ୍ତ ସଂଯୋଜକ ଜ୍ୟୋତି ରାଣୀ ଦାସ, ପ୍ରାନ୍ତ ରଙ୍ଗୋଲି ସଂଯୋଜିକା ସଂଯୁକ୍ତା ସା, ଜିଲ୍ଲା ନାଟ୍ୟ ପ୍ରମୁଖ ଆଲୋକ କୁମାର ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।