ବଡକେନ୍ଦୁଗୁଡା ଗୌନ୍ତିଆ ବିରଞ୍ଚିନାରାୟଣ ପଣ୍ଡାଙ୍କ ବିୟୋଗ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡକେନ୍ଦୁଗୁଡା ଗ୍ରାମର ଗୌନ୍ତିଆ ବିରଞ୍ଚି ନାରାୟଣ ପଣ୍ଡାଙ୍କ ୬୫ ବର୍ଷ ବୟସରେ ବିୟୋଗ ଘଟିଛି। ସେ ଦୀର୍ଘ ଦିନ ହେଲା ରୋଗ ଶଯ୍ୟାରେ ପଡିଥିବାବେଳେ ଶନିବାର ରାତିରେ ତାଙ୍କର ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କ ପରିବାର ସମସ୍ତ ସଦସ୍ୟ ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିଲେ। ରବିବାର ଅପରାହ୍ନରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ତାଙ୍କ ପୁଅ ଅମର ଜ୍ୟୋତି ପଣ୍ଡା ଓ ସାନ ଭାଇ ଲକ୍ଷ୍ମୀ ନାରାୟଣ ପଣ୍ଡା ମୁଖାଗ୍ନି ଦେଇଥିଲେ। ତାଙ୍କ ଶବାଧାରରେ ଗାଁ ତଥା ବିଭିନ୍ନ ଅଞ୍ଚଳର ଶତାଧିକ ଲୋକ, ବନ୍ଧୁ ପରିଜନ, ଜ୍ଞାତି କୁଟୁମ୍ବ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ। ସେ କାଉଡୋଳା ପଞ୍ଚାୟତର ସରପଞ୍ଚ ଭାବେ ରହି ନବେ ଦଶକରେ କାଉଡୋଳା ଗାଁ ଲୋକଙ୍କ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ପାଇପ ଯୋଗେ ଜଳ ଯୋଗାଣ କରି ସାଧାରଣ ଲୋକଙ୍କ ପାଖରେ ପ୍ରିୟ ଭାଜନ ହୋଇ ପାରିଥିଲେ । ୨୦୧୨ ରୁ ୨୦୧୭ କୋକସରା ଜୋନ- ୧ ର ଜିଲ୍ଲା ପରିଷଦ ସଦସ୍ୟ ରହିଥିଲେ। କ୍ଷୁଦ୍ର ଜଳସେଚନ ବିଭାଗର ପାଣି ପଞ୍ଚାୟତର କଳାହାଣ୍ଡି ଜିଲ୍ଲା ସଭାପତି, ଧର୍ମଗଡ କାର୍ଡ ବ୍ୟାଙ୍କ ଓ ଏଲଡିବି ବ୍ୟାଙ୍କର ସଭାପତି, କେନ୍ଦୁପତ୍ର ବିଭାଗର ଲଡୁଗାଁ ରେଞ୍ଜ ଅଞ୍ଚଳରେ ୨ଥର ସଭାପତି ଭାବେ ରହିଥିଲେ। ଜୁନାଗଡ ବାଣିଜ୍ୟ ସମବାୟ ସମିତିର ବର୍ତ୍ତମାନ ସଦସ୍ୟ ଥିଲେ। ଆମପାଣି ପେକ୍ସରେ ଲଗାତାର ୭ ଥର ସଭାପତି ଥିବାବେଳେ ବର୍ତ୍ତମାନ ମଧ୍ୟ ସଭାପତି ଭାବେ ରହିଥିଲେ। କାଉଡୋଳା ପଞ୍ଚାୟତ ହାଇସ୍କୁଲ, ବଡପୋଡାଗୁଡା ପଞ୍ଚାୟତ ହାଇସ୍କୁଲ, ରଏନଗୁଡା ଓ ମହିମା ଗ୍ରାମ ପଞ୍ଚାୟତ ହାଇସ୍କୁଲ ଡୁଡୁକାଠେଙ୍ଗା, ରଏନଗୁଡା ମା’ କାଳୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ପ୍ରତିଷ୍ଠା କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।