ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲାର ଦ୍ଵିତୀୟ ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ୍ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଜୟପାଟଣା ସ୍ଥିତ ଇନ୍ଦ୍ରାବତୀ ଡିଗ୍ରୀ ମହାବିଦ୍ୟାଳୟଠାରେ ଉଦଘାଟିତ ହୋଇଛି। ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ବିଧାନ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ତ୍ରି-ଦିବସୀୟ ଶିବିରରେ ମୁଖ୍ୟ ଅତିଥି ଭାବେ ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ, ଭବାନୀପାଟଣାର ଭାରପ୍ରାପ୍ତ କୁଳପତି ଡ. ନିବେଦିତା ନାଥ ଓ ମୁଖ୍ୟବକ୍ତା ଭାବେ ରାଜ୍ୟ ଯୁବ ରେଡକ୍ରସ୍ ଅଧିକାରୀ ଡ. ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଯୁବ ରେଡକ୍ରସ୍ ଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ଶିବିରାର୍ଥି ମାନଙ୍କୁ ଆହ୍ବାନ ଦେଇଥିଲେ। ଜିଲ୍ଲା ଯୁବ ରେଡକ୍ରସ୍ ଆବାହକ ସଂପାଦକ ସଂଜିବ କୁମାର ସାହୁ ଶିବିରର ଉଦ୍ଦେଶ୍ୟ ଓ ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡ଼ା ଶିବିରର ନିୟମାବଳୀ ବିଷୟରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ପରାମର୍ଶଦାତା ମାନସ କୁମାର ପଣ୍ଡା ସ୍ଵାଗତ ଅଭିଭାଷଣ ଓ ମଞ୍ଚ ସଂଯୋଜନା କରିଥିବାବେଳେ ଅଧ୍ୟାପକ ସାକେତ ବିହାରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଜାତୀୟ ସ୍ତରୀୟ କ୍ୟାମ୍ପରେ ଯୋଗଦାନ କରିଥିବା ଯୁବ ରେଡକ୍ରସ ସ୍ଵେଚ୍ଛାସେବୀ ଉମେଶ ଚନ୍ଦ୍ର ନାଗ ଅନୁଭୁତି ବର୍ଣ୍ଣନା କରିଥିଲେ। ଏହି ଶିବିରରେ ଧର୍ମଗଡ ଉପଖଣ୍ଡର ବିଭିନ୍ନ ମହାବିଦ୍ୟାଳୟରୁ ଦେଢ଼ଶହ ପରାମର୍ଶଦାତା ଓ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି। ଶିବିର ପରିଚାଳନାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ସ୍ବେଚ୍ଛାସେବୀ ଛାତ୍ରୀମାନେ ସହଯୋଗ କରିଥିଲେ। ଶିବିରର ଦ୍ଵିତୀୟ ଦିବସରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହେବ ବୋଲି ଜଣାଯାଇଛି।

