କୋକସରା/କ୍ରାନ୍ତିକ୍ଷେତ୍ର : ଗତ କିଛିଦିନ ହେଲା କଳାହାଣ୍ଡି ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବାବେଳେ କୋକସରା ଅଞ୍ଚଳ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। କୋକସରା ଅଞ୍ଚଳରେ କିଛି ଦିନ ହେଲା ପାରଦ ୮. ଡିଗ୍ରି ତଳକୁ ଖସିଥିବା ସୂଚନା ମିଳିଛି। ଫଳରେ ଅଞ୍ଚଳରେ ହାଡ଼ଭଙ୍ଗା ଶୀତର ପ୍ରକୋପ ବଢୁଛି। ଏଥିପାଇଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ଦେଖିବାକୁ ମିଳୁଛି। ଶୀତ ଯୋଗୁଁ ସକାଳୁ ପଦାକୁ ବାହିରିବା ଏକ ପ୍ରକାର ମୁସ୍କିଲ ହୋଇପଡିଥିବାଳେ ଦିନ ୧୧ ଟା ପରେ ଲୋକେ ଘରୁ ବାହାର କୁ କୌଣସି କାମ ପାଇଁ ଯାଉଥିବା ଦେଖିବାକୁ ମିଳୁଛି। ଏଣେ ପ୍ରବଳ ଥଣ୍ଡା ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଜୀବନ ଜୀବିକା ମଧ୍ୟ ପ୍ରଭାବିତ ହୋଇଛି। ଖରା ଆସିଲେ ମଧ୍ୟ ଦିନତମାମ ଶୀତ ହେଉଥିବା ବେଳେ ସଞ୍ଜ ନଇଁଲେ ତାପମାତ୍ରା ହ୍ରାସ ପାଉଛି। ଶୀତର ପ୍ରକୋପ ଯୋଗୁଁ ରାସ୍ତାଘାଟ ସବୁ ଶୂନଶାନ ହୋଇ ଯାଉଛି। ଶୀତରୁ ରକ୍ଷା ପାଇବା ପାଇଁ ଗାଁ ଗାଁରେ ତଥା ରାସ୍ତା କଡ଼ରେ ଲୋକେ ସ୍ଥାନେ ସ୍ଥାନେ ନିଆଁ ପୋଇଁବାର ଦୃଶ୍ୟ ଦେଖିବାକୁ ମିଳୁଛି। ବସଷ୍ଟପ୍, ପଦାରେ ଆଶ୍ରୟ ନେଉଥିବା ଯାତ୍ରୀ, ଏହି ହାଡ଼ଭଙ୍ଗା ଶୀତ ଯୋଗୁଁ ବିପନ୍ନ ହୋଇପଡୁଛି। ଗତବର୍ଷ ଏହି ସମୟରେ ରାଜ୍ୟ ସରକାର ବୃଦ୍ଧାମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତାବେଳେ କମ୍ବଳ ପାଇଁ ମଧ୍ୟ ଟଙ୍କା ପ୍ରଦାନ କରିଥିଲେ। କିନ୍ତୁ ଚଳିତ ବର୍ଷ ସରକାର ବୃଦ୍ଧ ବୃଦ୍ଧା ମାନଙ୍କୁ କୋଣସି ଏମିତି ସୁବିଧା ଦେଇ ନାହାନ୍ତି। ସରକାର ଏହି ଦିଗରେ ପଦକ୍ଷେପ ନେବାକୁ ଜନସାଧାରଣ ଦାବି ହେଉଛି।
