କୋଷାଗୁମୁଡା/କ୍ରାନ୍ତିକ୍ଷେତ୍ର : ଗତ ୧୯ ତାରିଖ ରାତିରେ ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନା ଠାରୁ ମାତ୍ର ୨୦୦ମିଟର ଦୂରରେ ଥିବା ଏକ ତେଜରାତି ଦୋକାନ ଚୋରି ମାମଲାରେ କୋଡିଙ୍ଗା ପୋଲିସ ୪ଜଣ ନାବାଳକ ଅଭିଯୁକ୍ତଙ୍କୁ ଗିରଫ କରି ଆଜି ଯୁଭେନାଲ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ୪ଜଣ ଅଭିଯୁକ୍ତ କୋଡିଙ୍ଗା ଗ୍ରାମର ବୋଲି ଜଣାପଡିଛି। ସେମାନଙ୍କ ନିକଟରୁ ପୋଲିସ ୩ ଟି ଶାବଳ, ଗୋଟିଏ କଟର ବ୍ଲେଡ ସହ ୭ଶହ ଟଙ୍କା ଜବତ କରିଛି। ସୂଚନା ଥାଉକି ଗତ ଶୁକ୍ରବାର ରାତିରେ ଗ୍ରାମର ୱାକାର ଏହମ୍ମଦ ଦୋକାନ ବନ୍ଦ କରି ଯାଇଥିବାବେଳେ ଶନିବାର ସକାଳେ ଦୋକାନର ସଟର କଟି ଭିତର ଜିନିଷ ପତ୍ର ବାହାରକୁ ଦେଖିବାକୁ ପାଇଥିଲେ । ଏନେଇ କୋଡ଼ିଙ୍ଗା ଥାନାରେ ଲିଖିତ ଭାବେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି କୋଡିଙ୍ଗା ଥାନା ଅଧିକାରୀ ଯୁଗଳ ଶବର ଏକ ମାମଲା ରୁଜୁ କରି ଡଗ୍ ସ୍କ୍ୱାର୍ଡ ଏବଂ ସାଇ ଟିମ୍ ସାହାଯ୍ୟରେ ଅନୁସନ୍ଧାନ କରିଥିଲେ।

