ବାଲିଗୁଡା/କ୍ରାନ୍ତିକ୍ଷେତ୍ର (ସାମୁଏଲ ପ୍ରଧାନ) : କନ୍ଧମାଳ ଜିଲା କୋଟଗଡ ଥାନା ଜଙ୍ଗଲାଞ୍ଚଳରେ ରାତିରେ ପୁଲିସ ସହ ଗୁଳି ବିନିମୟରେ ୨ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କଠାରୁ କିଛି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। କୋଟଗଡ ଥାନା ଅନ୍ତର୍ଗତ ଜଙ୍ଗଲାଞ୍ଚଳରେ ଜିଲ୍ଲା ପୁଲିସର ସଶସ୍ତ୍ର ବାହିନୀ ଅଭିଯାନରେ ଯାଇଥିବା ବେଳେ ଆଜି ରାତି ପ୍ରାୟ ୯ଟା ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ମାଓବାଦୀମାନେ ପ୍ରଥମେ ପୁଲିସ ଉପରକୁ ଗୁଳି ଚଳାଇଥିଲେ। ପୁଲିସର ପାଲଟା ଜବାବରେ ୨ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ପୁଲିସ ଗୁଳିର ସାମନା କରିନପାରି ଅନ୍ୟମାନେ ଛତ୍ରଭଙ୍ଗ ଦେଇଥିବା ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧୂକାରୀ ଶିବମ ଘୋଷଲେ ସୂଚନା ଦେଇଛନ୍ତି। ଖବର ଲେଖାହେବା ସୁଦ୍ଧା ତଲାସି ଅଭିଯାନ ଜାରି ରହିଥିବା ସୂଚନା ମିଳିଛି।

