ବାଂଲାଦେଶରେ ହିନ୍ଦୁ ହତ୍ୟା ଘଟଣା ପ୍ରତିବାଦରେ ବ୍ରହ୍ମପୁର ସହରରେ ବିଶାଳ ଶୋଭାଯାତ୍ରା

ବ୍ରହ୍ମପୁର/କ୍ରାନ୍ତିକ୍ଷେତ୍ର : (ଯଯାତୀ କେଶରୀ ବେହେରା) ବାଂଲାଦେଶରେ ହିନ୍ଦୁ ମାନଙ୍କ  ଉପରେ ଘଟୁଥିବା ହତ୍ୟା ଓ ହିଂସାମୂଳକ ଘଟଣାକୁ କଟୁ ଭାବେ ନିନ୍ଦା କରି ବ୍ରହ୍ମପୁର ସହରରେ ଆଜି ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା ଆୟୋଜିତ ହୋଇଛି । ବିଭିନ୍ନ ସାମାଜିକ, ଧାର୍ମିକ ଓ ସାମ୍ପ୍ରଦାୟିକ ସଂଗଠନ ତଥା ବିଶ୍ଵହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ  ଆହ୍ୱାନରେ ଆୟୋଜିତ ଏହି ଶୋଭାଯାତ୍ରାରେ ହଜାର ହଜାର ହିନ୍ଦୁ ସନାତନୀ ଯୋଗଦେଇଥିଲେ।

ଶୋଭାଯାତ୍ରାଟି ବ୍ରହ୍ମପୁର ସହରର ପୁରୁଣାବସ ଷ୍ଟାଣ୍ଡ ଠାରୁ ଆରମ୍ଭ ହୋଇ ସହରର ମୁଖ୍ୟ ରାସ୍ତା ଦେଇ ରାମଳିଙ୍ଗ ହନୁମାନ ମୂର୍ତି  ପର୍ଯ୍ୟନ୍ତ ଗତି କରିଥିଲା । ପ୍ରତିବାଦକାରୀମାନେ ହାତରେ ପ୍ଲାକାର୍ଡ, ବ୍ୟାନର ଧରି “ହିଂସା ବନ୍ଦ କର”, “ନିର୍ଦୋଷଙ୍କୁ ନ୍ୟାୟ ଦିଅ”, “ହିନ୍ଦୁମାନଙ୍କ ସୁରକ୍ଷା ଆମର ଦାବି”, “ବାଂଲାଦେଶ ମୁର୍ଦାବାଦ”, “ଭାରତ ମାତା କି ଜୟ”, ” ଜୟ ଶ୍ରୀରାମ” ପରି ନାରା ଦେଇଥିଲେ । ଶୋଭାଯାତ୍ରା ସମୟରେ ସହରର ପରିବେଶ ଗମ୍ଭୀର ଓ ସଚେତନତାପୂର୍ଣ୍ଣ ଥିଲା ।

ପ୍ରତିବାଦକାରୀମାନେ କହିଥିଲେ ଯେ ବାଂଲାଦେଶରେ ହିନ୍ଦୁ ଅଲ୍ପସଂଖ୍ୟକମାନେ ନିୟମିତ ଭାବେ ଆକ୍ରମଣ, ହତ୍ୟା ଓ ଉତ୍ପୀଡ଼ନର ସମ୍ମୁଖୀନ ହେଉଛନ୍ତି, ଯାହା  ବର୍ତମାନ ଗଭୀର ଚିନ୍ତାର ବିଷୟ । ଏହି ଘଟଣାଗୁଡ଼ିକୁ ରୋକିବା ପାଇଁ ବାଂଲାଦେଶ ସରକାର ତୁରନ୍ତ କଠୋର ପଦକ୍ଷେପ ନେବା ସହ ଦୋଷୀମାନଙ୍କୁ କଠୋର ଦଣ୍ଡ  ଦେବାକୁ ଦାବି କରାଯାଇଥିଲା । ଏହାସହ ଆନ୍ତର୍ଜାତୀୟ ସମୁଦାୟ ଏହି ମାମଲାରେ ହସ୍ତକ୍ଷେପ କରି ଅଲ୍ପସଂଖ୍ୟକମାନଙ୍କ ସୁରକ୍ଷା ନିଶ୍ଚିତ କରୁ ବୋଲି ଆହ୍ୱାନ ଦିଆଯାଇଥିଲା ।

ଶୋଭାଯାତ୍ରା ସମୟରେ ଆଇନ-ଶୃଙ୍ଖଳା ରକ୍ଷା ପାଇଁ ବ୍ରହ୍ମପୁର ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । କୌଣସି ଅପ୍ରୀତିକର ଘଟଣା ଘଟିନଥିବା ବେଳେ ପ୍ରତିବାଦ ସାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଥିଲା ।

ପ୍ରତିବାଦ ଶୋଭାଯାତ୍ରା ମାଧ୍ୟମରେ ବ୍ରହ୍ମପୁରବାସୀ ଏକତାର ସନ୍ଦେଶ ଦେଇଥିବା ସହ ହିଂସା ଓ ଅନ୍ୟାୟ ବିରୋଧରେ ନିଜ ସ୍ୱର ଉଠାଇଥିଲେ ।