କୋକସରା ବ୍ଳକସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା

କୋକସରା/କ୍ରାନ୍ତିକ୍ଷେତ୍ର : କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ଏବଂ ସରକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ, ଧର୍ମଗଡ଼ ପକ୍ଷରୁ କୋକସରା ବ୍ଳକ ବଙ୍ଗୋମୁଣ୍ଡା ସ୍ଥିତ ଉଦ୍ୟାନ ବିଭାଗର ନର୍ସରି ଠାରେ ଆଜି କୋକସରା ବ୍ଳକସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଛି। ଏହି କର୍ମଶାଳାରେ ଧର୍ମଗଡ଼ ଏଡ଼ିଏଚ୍ଓ ମଳୟ କୁମାର ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଟେମେରା ଗ୍ରାମ ପଞ୍ଚାୟତ ସରପଞ୍ଚ କ୍ଷତିରାମ ପାତ୍ର, କୋକସରା ଏଏଓ ଦିବ୍ୟଜ୍ୟୋତି ପଣ୍ଡା, ଏଭିଏସ୍ ଡ଼ ଆଶିଷ ମହାପାତ୍ର, ଛତୁ ଚାଷ ବିଶେଷଜ୍ଞ ରିକିରାମ ପଟେଲ, ଓଏଲଏମ୍ ରୁ ସୁରେଶ ରାଉତ, ସଂଜୀବ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କର୍ମଶାଳାରେ ବ୍ଳକର ୩ ଗୋଟି ପଞ୍ଚାୟତ ଆମପାଣି, ଟେମରା ଓ ମୋଟେର ପଞ୍ଚାୟତର ପ୍ରାୟ ୧୦ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଯୋଗ ଦେଇଥିଲେ। ଏହି କ୍ରମରେ ଉଦ୍ୟାନ କୃଷି ବିଭାଗର ଅଧିକାରୀ ମାନେ ଧାନ ଚାଷ ପରବର୍ତ୍ତୀ ସମୟରେ କି’ କି ପ୍ରକାରର ଚାଷ କରି ଅଧିକ ଲାଭବାନ ହୋଇପାରିବେ ସେନେଇ ଆଲୋଚନା କରିଥିଲେ। ଉଦ୍ୟଗିମାନଙ୍କୁ ଛତୁ ଚାଷ, ଫୁଲ ଚାଷ, ଛୋଲି ଚାଷ, ଗୋ-ପାଳନ ଓ ବିଭିନ୍ନ ପନିପରିବା ଚାଷ ବିଷୟରେ ଚାଷି କିପରି ସ୍ଵାବଲମ୍ବି ଶୀଳ ହୋଇ ପାରିବ ସେ ବିଷୟରେ ପରାମର୍ଶ ଦେଇଥିଲେ। ଏବଂ ଉଦ୍ୟାନ କୃଷି ବିଭାଗ ଅଧିନରେ ସରକାରୀ ସ୍ତରରେ ଚାଷୀ ମାନଙ୍କ କି’ କି ସୁବିଧା ରହିଛି ଓ ବିଭିନ୍ନ ସବସିଡି ଆଦିର ଲାଭ ଉଠାଇ ପାରିବେ ସେ ନେଇ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ। ଏହି କର୍ମଶାଳାକୁ କୋକସରା ଏଏଚ୍ଓ ସୌରଭ ପାଣିଗ୍ରାହୀ ସଂଯୋଜନା କରିଥିବାବେଳେ ଉଦ୍ୟାନ କୃଷି ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।