ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର : ଧର୍ମଗଡ ପୋଲିସ ଦ୍ବାରା ୧୧ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି। ଏହି ମାମଲାରେ ପୋଲିସ ଜଣେ ଦାଦନ ସର୍ଦ୍ଦାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଉଦ୍ଧାର ଦାଦନ ଶ୍ରମିକମାନେ ହେଲେ ନୂଆପଡା ଜିଲ୍ଲା ରାଜ ଖଡ଼ିଆଲ ଥାନା ଅନ୍ତର୍ଗତ ରାନୀ ମୁଣ୍ଡା ଓ ଦେଭୋଗ ଥାନା ସିନାପାଲି ଗ୍ରାମର ବୋଲି ଜଣାପଡିଛି। ପୋଲିସ ଠାରୁ ମିଳିଥିବା ସୁଚନା ଅନୁଯାୟୀ ଗତ ୫ଦିନ ତଳେ ଧର୍ମଗଡ ଥାନା ଅନ୍ତର୍ଗତ ଟିପିଗୁଡା ଗ୍ରାମର ଖୁବା ବଂଜରା ନାମକ ଜଣେ ବ୍ୟକ୍ତି ବିଭିନ୍ନ ପ୍ରଲୋଭନ ଦେଖାଇ ଏହି ୧୧ଜଣ ଦାଦନ ଶ୍ରମିକ ଙ୍କୁ ନିଜ ଘରେ ରଖିଥିଲେ। ଦଲାଲ ଖୁବା ଶ୍ରମିକ ମାନଙ୍କୁ ଧର୍ମଗଡ ସହରର ଏକ କମ୍ପାନୀ ରେ କାମ କରିବାକୁ କହି ହାଇଦ୍ରାବାଦ ଖତୁଗୁଡାର ଏକ ଘରୋଇ ଠିକଦାର ଠାରେ ଛାଡ଼ିଦେବାକୁ ଯୋଜନା କରିଥିଲେ।ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଦିଆଯିବା କୁ ପ୍ରଲୋଭନ ଦେଖାଇ ୧୫ହଜାର ଟଙ୍କା ଅଗ୍ରୀମ ମଧ୍ୟ ଦେଇଥିଲେ। ଦାଦନ ଶ୍ରମିକମାନେ ୫ ଦିନ ଟିପିଗୁଡାରେ ରହିବା ପରେ ଦଲାଲ ଖୁବାଙ୍କ ହାବଭାବ କୁ ସନ୍ଦେହ କରି ସ୍ଥାନୀୟ ପୋଲିସ କୁ ଜଣାଇ ଥିଲେ।ଧର୍ମଗଡ ପୋଲିସ ତତ୍ପରତା ଦେଖାଇ ଟିପିଗୁଡା ପହଂଚି ଖୁବାଙ୍କ ଘରେ ଚଢ଼ାଉ କରି ୧୧ଜଣ ଶ୍ରମିକ କୁ ଉଦ୍ଧାର କରି ଦାଦନ ସର୍ଦାର କୁ ଗିରଫ କରିଛି। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୬ଜଣ ମହିଳା ଓ ୫ଜଣ ପୁରୁଷ ରହିଥିବା ଜଣାପଡିଛି। ସେମାନେ ହେଲେ ଦମୟନ୍ତି ମାଝୀ, କ୍ଷୀରସିନ୍ଦୁ ମାଝୀ, ଚୈତନ୍ୟ ମାଝୀ, ଖମେ ମାଝୀ, ଲଳିତା ମାଝୀ, କୁନି ମାଖୀ, ଯମୁନା ମାଝୀ, ମନ୍ଦାର ମାଝୀ, ଆକାଶ ମାଝୀ, ମୋହନ ମାଝୀ ଓ ଦେଭୋଗ ଅଞ୍ଚଳର ସିନାପାଲି ଗ୍ରାମର ସୁରେଶ ମାଝୀ ରହିଛନ୍ତି। ପୋଲିସ ପକ୍ଷରୁ ଦାଦନ ଶ୍ରମିକ ମାନଙ୍କୁ ନିଜନିଜ ଘର କୁ ସୁରକ୍ଷିତ ଭାବେ ପଠାଇ ଥିବା ଜଣାପଡିଛି।
