କଳାହାଣ୍ଡି/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର ପ୍ରତିଭାବାନ ସମାଜସେବୀ ତଥା ବହୁଜନ ସାହିତ୍ୟ ସାଧକ ଏବଂ ଯୁବ ନେତା ମାଧବ ସୁନାନୀଙ୍କୁ ମୂଳନିବାସୀ ବହୁଜନ ସମାଜର ରାଷ୍ଟ୍ରୀୟ ସଂଗଠନ “ଭାରତ ମୁକ୍ତି ମୋର୍ଚ୍ଚା”ର ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ଭାବେ ବିଧିବଦ୍ଧ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ସଂଗଠନର କେନ୍ଦ୍ରୀୟ ସଚିବାଳୟ, ନୂଆଦିଲ୍ଲୀରୁ ସାଂଗଠନିକ ମୁଖ୍ୟ ସଚିବ ପି.କେ. ମଶ୍ରାମଙ୍କ ଦ୍ୱାରା ଜାରି ହୋଇଥିବା ଆଧିକାରିକ ପତ୍ର ମାଧ୍ୟମରେ ଏହି ଘୋଷଣା କରାଯାଇଛି। ଏହାପୂର୍ବରୁ ଶ୍ରୀସୁନାନୀ ସଂଗଠନର ଓଡ଼ିଶା ପ୍ରଦେଶ ପ୍ରଭାରୀ ଭାବେ ନିଷ୍ଠାର ସହିତ ଦାୟିତ୍ୱ ନିର୍ବାହ କରିଆସୁଥିଲେ। ତାଙ୍କର ଅଟଳ ସମର୍ପଣ, ବହୁଜନ ସମାଜର ଅଧିକାର ପାଇଁ ଅବିରତ ସଂଗ୍ରାମ ଏବଂ ଅନନ୍ୟ ନେତୃତ୍ୱ ଗୁଣ ତାଙ୍କୁ ଏହି ଉଚ୍ଚ ପଦବୀରେ ପହଞ୍ଚାଇଛି। କଳାହାଣ୍ଡିର ଏକ ଯୁବକ ଓଡ଼ିଶା ରାଜ୍ୟର ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିବାରୁ ଜିଲ୍ଲାର ଛାତ୍ର, ଯୁବ ସମାଜ ଏବଂ ବହୁଜନ ସମୁଦାୟରେ ଉଲ୍ଲାସର ଲହରୀ ଖେଳିଯାଇଛି। ଏହା ସ୍ଥାନୀୟ ଯୁବବର୍ଗ ପାଇଁ ପ୍ରେରଣାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ସାଜିଛି। ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ୱାମନ ମେଶ୍ରାମଙ୍କ ଦେଶବ୍ୟାପୀ ଜାଗରଣ ଅଭିଯାନରେ ଶ୍ରୀସୁନାନୀ ସକ୍ରିୟ ଭୂମିକା ନିଭାଇ ଆସୁଛନ୍ତି। ଜାତି ଜନଗଣନା, ସଂଖ୍ୟାଗତ ଅନୁପାତରେ ପ୍ରତିନିଧିତ୍ୱ ଏବଂ ଓଡ଼ିଶାରେ ରିଜର୍ଭେସନ୍ ଆଇନକୁ ଶତପ୍ରତିଶତ କାର୍ଯ୍ୟକାରୀ କରିବା ପାଇଁ ସେ ନିରନ୍ତର ଆନ୍ଦୋଳନ ଚଳାଇ ଆସୁଛନ୍ତି। ଶ୍ରୀସୁନାନୀଙ୍କ ମତରେ, ଶାସକ ବର୍ଗ ଦ୍ୱାରା ଲକ୍ଷ ଲକ୍ଷ ଉଚ୍ଚଶିକ୍ଷିତ ବହୁଜନ ଯୁବକ-ଯୁବତୀଙ୍କୁ ବେରୋଜଗାର ରଖିବା, ବିଶେଷକରି ଓବିସି ସମାଜକୁ ଅବହେଳା ଓ ପ୍ରତାରଣା କରିବା ଏବଂ ଦେଶରେ ଓବିସି ଜାତି ଜନଗଣନା ନକରି ବହୁଜନ ସମାଜକୁ ଶିକ୍ଷା ତଥା ସରକାରୀ ଚାକିରୀରୁ ବଞ୍ଚିତ ରଖିବା ଏକ ଗଭୀର ଷଡ଼ଯନ୍ତ୍ର। ଏହାକୁ ଜନମାନସରୁ ଦୂରେଇ ରଖିବା ପାଇଁ ଜାତି ଓ ଧର୍ମ ଆଧାରରେ ବିଭାଜନ ସୃଷ୍ଟି କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରି ଶ୍ରୀସୁନାନୀ କହିଛନ୍ତି “ସଂଗଠନର ଦିଶା ଓ ନିର୍ଦ୍ଦେଶ ଭିତରେ ରହି ଓଡ଼ିଶାର ବହୁଜନ ସମାଜକୁ ସାମ୍ବିଧାନିକ ଅଧିକାର ପ୍ରତି ସଚେତନ କରିବା ଏବଂ ସେହି ଅଧିକାରର ସୁରକ୍ଷା ପାଇଁ ସଂଗଠିତ କରି ଶାସକ ସମାଜରେ ଆଗେଇ ନେବା ମୋର ପ୍ରଥମ ଦାୟିତ୍ୱ। ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଥିବାରୁ ସଂଗଠନକୁ ହୃଦୟରୁ ଧନ୍ୟବାଦ ଜଣାଉଛି। ସୁନାନୀଙ୍କ ନେତୃତ୍ୱରେ ଭାରତ ମୁକ୍ତି ମୋର୍ଚ୍ଚା ଓଡ଼ିଶାରେ ଆହୁରି ସକ୍ରିୟ ହୋଇ ବହୁଜନ ସମାଜର ସଶକ୍ତିକରଣ ଓ ନ୍ୟାୟ ପାଇଁ ନୂଆ ଅଧ୍ୟାୟ ଆରମ୍ଭ କରିବ ବୋଲି ସମର୍ଥକମାନେ ଆଶା ରଖୁଛନ୍ତି।
