ଶ୍ରୀପାଲିରେ ବିଜେଡିର ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ 

  • ପୌର ଓ ପଞ୍ଚାୟତ ନିର୍ବାଚନରେ କ୍ଲିନ ସ୍ୱିପ ପାଇଁ ପ୍ରସ୍ତୁତ ଦଳ
  • ବିଜେପିର ଜନମାରଣ ନୀତି ବିରୁଦ୍ଧରେ ବର୍ଷିଲେ
  • ମଣ୍ଡି ଅବ୍ୟବସ୍ଥା ବିଜେପିର ଅପାରଗତାକୁ ପଦାରେ ପକାଇଛି

ମ. ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : ଗତ ୨୪ ବର୍ଷ ଧରି ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବାରେ ସଫଳ ହୋଇପାରିଥିଲା ବିଜୁ ଜନତା ଦଳ। କିନ୍ତୁ ମାତ୍ର ଅଠର ମାସ ମଧ୍ୟରେ ରାଜ୍ୟ ଶାସନ ସମ୍ଭାଳିବା ତ’ ଦୂରର କଥା, ବାହାପିଆ ବିଜେପି ଦଳ ଆଣ୍ଠେଇ ପଡ଼ିଲାଣି। ପାଟିରେ ବାଗବାଇଶ ନଥିବା ବିଜେପି ନେତା ଓ ମନ୍ତ୍ରୀ ଖାଲି ବଡ଼ ବଡ଼ କଥା କହୁଛନ୍ତି କିନ୍ତୁ ଓଡ଼ିଶାର ଲୋକଙ୍କ ଉନ୍ନତି ପାଇଁ ସେମାନଙ୍କ ଅବଦାନ ଶୂନ। ରବି ଋତୁ ଆସିଲାଣି କିନ୍ତୁ ଏ ପର୍ଯ୍ୟନ୍ତ ଖରିଫ ଧାନ ବିକ୍ରି ହୋଇପାରୁନି। ମଣ୍ଡିରେ ଶୀତ କାକରରେ ଦୀର୍ଘ ଦିନ ପଡ଼ି ଚାଷୀର ମେରୁଦଣ୍ଡ ନଇଁଗଲାଣି। ଆଜି ସ୍କୁଲ, କଲେଜ, ଅଫିସ ସବୁଠି ମହିଳାମାନେ ଅସୁରକ୍ଷିତ। ସୁଭଦ୍ରା ଯୋଜନାରେ ପଚାଶ ହଜାର ବଦଳରେ ବର୍ଷକୁ ଦୁଇଟି କିସ୍ତିରେ ଦଶ ହଜାର ଟଙ୍କା ଦେଇ ଭଣ୍ଡେଇ ଦେଇଛି ବିଜେପି। ରାଜ୍ୟରେ ଦିନକୁ ଦିନ ଅରାଜକତା ବଢି ଚାଲିଥିବାବେଳେ ଡବଲ ଇଞ୍ଜିନ ସରକାର ଓଡିଶାବାସୀଙ୍କୁ ଡବଲ ଧୋକା ଦେଇଛି। ଲୋକଙ୍କୁ ପ୍ରତିଶ୍ରୁତି ଦେଇ ପୂରଣ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛି ଶାସକ ବିଜେପି ଦଳ। ସରକାର ଚଳାଇବାକୁ ବିଜେପି ସଂପୂର୍ଣ୍ଣ ଅକ୍ଷମ। ଆଜି ରାଜ୍ୟର ବିକାଶ ଆଗକୁ ଯିବା ବଦଳରେ ପଛେଇ ଯାଇଛି। ବିଜେପିର ଅପାରଗତାର ଫଳ ଭୋଗୁଛନ୍ତି ରାଜ୍ୟର ସାଢେ ଚାରିକୋଟି ଲୋକେ। ବିଜେପିର ଏହି ଚରମ ବିଫଳତାକୁ ଲୋକେ ମର୍ମେ ମର୍ମେ ଅନୁଭବ କଲେଣି। ବିଜେପିକୁ ଭୋଟ ଦେଇ ଓଡ଼ିଶାର ଲୋକେ ଏବେ ପଶ୍ଚାତାପ କରୁଛନ୍ତି। ଆଗକୁ ଆସୁଛି ପୌର ଓ ପଞ୍ଚାୟତ ନିର୍ବାଚନ। ଏହି ନିର୍ବାଚନରେ ଜନବିରୋଧୀ ବିଜେପି ସରକାରକୁ ପାନେ ଦେବାକୁ ପଡ଼ିବ। ବିଜେପି ବିରୋଧରେ ଲୋକଙ୍କ ପୁଞ୍ଜିଭୂତ ଅସନ୍ତୋଷ ବିଜେପି ପରାଜୟର କାରଣ ହେବ। ବିଜେଡି ପୁରାଦମରେ ମଇଦାନକୁ ଓହ୍ଲାଇବ। ଚାଷୀ ବିରୋଧୀ, ମହିଳା ବିରୋଧୀ, ଜନବିରୋଧୀ ବିଜେପି ସରକାରକୁ କଡ଼ା ଜବାବ ଦେବ। ବିଜେପି ବିରୋଧରେ ଲୋକଙ୍କ ପୁଞ୍ଜିଭୂତ କ୍ରୋଧ ଓ ଆକ୍ରୋଶକୁ ଆୟୁଧ କରି ଆଗାମୀ ପୌର ଏବଂ ପଞ୍ଚାୟତ ନିର୍ବାଚନରେ ବିଜେଡି କ୍ଲିନ ସ୍ୱିପ କରିବ ବୋଲି ଶ୍ରୀପାଲି ଗାଁରେ ଆୟୋଜିତ ବିଜେଡିର ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀରେ ଦୃଢୋକ୍ତି କରିଛନ୍ତି ବିଜେଡି ନେତୃବୃନ୍ଦ। ବିଜେଡି ସହିତ ଓଡ଼ିଶାର ସାଢେ ଚାରିକୋଟି ଲୋକଙ୍କ ଆଶୀର୍ବାଦ ରହିଛି ଓ ରହିବ ବୋଲି କହିବା ସହିତ ସାରା ଜିଲ୍ଲାରେ ଏକଜୁଟ ହୋଇ ଆଗକୁ ବଢିବା ସହିତ ବିଜେପିର କୁଶାସନ ବିରୋଧରେ ଲୋକଙ୍କ ପାଖକୁ ଯିବାକୁ ଆହ୍ୱାନ ଦେଇଛନ୍ତି ଜିଲ୍ଲା ବିଜେଡି ସଭାପତି ତଥା ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ। ଶ୍ରୀଦିଶାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ମହିଳା ବିଜେଡି ଜୋନ ସଭାନେତ୍ରୀ ଲଳିତା ନାଏକ, ଛାତ୍ର ବିଜେଡି ସଭାପତି ଅଜିତ ସାହୁ, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ମ. ରାମପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂଦେଓ, କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା କୁନି ସାହୁ, କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ବିଜେଡି ନେତା ପ୍ରଦୀପ ମୁଣ୍ଡ, , ପରମାନନ୍ଦ ମାଝୀ, ସାମନ୍ତ ଖମାରୀ, ଆଦିତ୍ୟ ନନ୍ଦ, ମନୀନ୍ଦ୍ର ମହାନ୍ତି, ମଣ୍ଟୁ ନାଏକ, ନୀଳମଣି ସାହୁ, ନନ୍ଦିନୀ ସାହୁ ପ୍ରମୁଖ ଉଦବୋଧନ ଦେଇଥିଲେ। ବିଜେଡି ଜିଲ୍ଲା ଉପସଭାପତି ଧର୍ମେନ୍ଦ୍ର ନାଏକ ସଭା ପରିଚାଳନା କରିଥିବାବେଳେ ତ୍ରିଲୋଚନ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଜେଡି ନେତା ଜାକିର ହୁସେନ, ଟିକେଲାଲ ସାହୁ, ପ୍ରେମରଞ୍ଜନ ପାଣିଗ୍ରାହୀ, ଡାକେଶ୍ୱର ଲହଜଲ, ପର୍ଶୁରାମ ପାଢ଼ୀ, ରାଜ୍ୟ ସରପଞ୍ଚ ସଂଘ ସଭାପତି ତଥା ବମକ ପଞ୍ଚାୟତ ସରପଞ୍ଚ ରୋମାଞ୍ଚଳ ସାହୁ, ମ, ରାମପୁର ବ୍ଲକ ସଭାପତି ସତ୍ୟ ନାରାୟଣ ସାହୁ, ବିକାଶ ରଞ୍ଜନ ସିଂହ ଦେଓ, ପ୍ରଦୀପ କୁମାର ପାଣିଗ୍ରାହୀ,ପ୍ରେମସାଗର ନାଏକ, ସରୋଜ ରାଉତ, ଜଗଦୀଶ ବେନିଆଙ୍କ ସହିତ ଜିଲ୍ଲାର ୧୩ ଗୋଟି ବ୍ଲକରୁ ତିନିଶହରୁ ଉର୍ଦ୍ଧ୍ଵ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।