ଜୟପାଟଣାରେ ପୋଲିସ ପକ୍ଷରୁ ଶାନ୍ତି କମିଟି ଗଠନ

ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : ଜୟପାଟଣା ଅଞ୍ଚଳରେ ଶାନ୍ତି, ସଦଭାବନା ଏବଂ ଆଇନ ଶୃଙ୍ଖଳାକୁ ବଜାୟ ରଖିବା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ଜୟପାଟଣା ଥାନା ପରିସରରେ ଆୟୋଜିତ ଏକ ବୈଠକରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଏବଂ ବୁଦ୍ଧିଜୀବୀମାନଙ୍କୁ ନେଇ ଏକ ‘ଶାନ୍ତି କମିଟି’ ଗଠନ କରାଯାଇଛି। ବୈଠକରେ ବିଶେଷ କରି ଆଗାମୀ ପର୍ବପର୍ବାଣୀ ଏବଂ ସାମାଜିକ କାର୍ଯ୍ୟକ୍ରମ ସମୟରେ କିପରି ଶାନ୍ତି ରକ୍ଷା କରାଯାଇପାରିବ, ସେ ନେଇ ଗୁରୁତ୍ୱାରୋପ କରାଯାଇଛି। ସହରରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେବା ଏବଂ ଗୁଜବରୁ ଦୂରେଇ ରହିବା ପାଇଁ ଆଲୋଚନା ହୋଇଛି।କମିଟିରେ ସ୍ଥାନୀୟ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ବ୍ୟବସାୟୀ ସଂଘ, ଧାର୍ମିକ କମିଟିର ମୁଖ୍ୟ ତିନୋଟି ରାଜ ନୈତିକ ଦଳ କଂଗ୍ରେସ, ବିଜେଡି, ବିଜେପିର କାର୍ଯ୍ୟକର୍ତା ଏବଂ ସମାଜସେବୀମାନଙ୍କୁ ସାମିଲ କରାଯାଇଛି। ପୋଲିସ ଏବଂ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରହିଲେ ହିଁ ଅପରାଧମୁକ୍ତ ସମାଜ ଗଠନ ହୋଇପାରିବ ବୋଲି ଥାନା ଅଧିକାରିଣୀ ଅର୍ଚ୍ଚନା ନାୟକ ମତ ପ୍ରକାଶ କରିଛନ୍ତି।