ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ରାୟଗଡ଼ା ଜିଲ୍ଲାର କୋଲନରା ବ୍ଲକ ଅନ୍ତର୍ଗତ କୈଳାସପୁର ସରକାରୀ ହାଇସ୍କୁଲରେ ଦଶମ ଶ୍ରେଣୀ ପରୀକ୍ଷା ସମୟରେ ଗୁରୁତର ଅନିୟମିତତା ଘଟିଥିବା ଅଭିଯୋଗ ଆସିଛି। ପରୀକ୍ଷା ବେଳେ ବାହାର ସ୍କୁଲର ୨ଜଣ ଶିକ୍ଷକ ଛାତ୍ରଛାତ୍ରୀଙ୍କୁ କପି ଯୋଗାଇଦେଉଥିବା ବେଳେ ଫ୍ଲାଇଁ ସ୍କ୍ୱାର୍ଡ ତାଙ୍କୁ ଧରିଥିବା ସୂଚନା ମିଳିଛି। ରାୟଗଡ଼ା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶାନ୍ତିଲତା ମୁନିଙ୍କ ନେତୃତ୍ୱରେ ଫ୍ଲାଇଁ ସ୍କ୍ୱାର୍ଡ ଯାଞ୍ଚ ପାଇଁ କୈଳାସପୁର ସରକାରୀ ହାଇସ୍କୁଲକୁ ଗସ୍ତ କରିଥିଲେ। ସେଠାରେ ବାହାର ସ୍କୁଲର ଦୁଇ ଜଣ ଶିକ୍ଷକ ପରୀକ୍ଷା ଦେଉଥିବା ପିଲାଙ୍କୁ ପ୍ରଶ୍ନର ଉତ୍ତର ଶୃତଲିଖନ କରୁଥିବା ଜଣାପଡିଥିଲା। ଏହାପରେ ଉକ୍ତ ଦୁଇ ଶିକ୍ଷକଙ୍କ ସହ କେନ୍ଦ୍ର ପରିଚାଳକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଥିଲା। ଏନେଇ ଚାନ୍ଦିଲି ଥାନାରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ କୈଳାସପୁର ଏସଏସଡି ହାଇସ୍କୁଲର ପ୍ରଧାନ ଶିକ୍ଷକ ଓ ପରୀକ୍ଷା କେନ୍ଦ୍ର ପରିଚାଳକ ବିଶିକେଶନ ବାଗ, ବଡଖିଲାପଦର ହାଇସ୍କୁଲର ସ୍ବରାଜ ବେହେରା ଓ ଭୋଇମଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୈଳେନ୍ଦ୍ର ସ୍ୱାଇଁଙ୍କ ନାମରେ ଏତଲା ଦାଖଲ ହୋଇଛି। ଘଟଣାର ପ୍ରମାଣ ସ୍ୱରୂପ ସ୍କୁଲର ସିସିଟିଭି ଫୁଟେଜ୍ ମଧ୍ୟ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ପୁଲିସଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି। ଅନ୍ୟପଟେ ଚାନ୍ଦିଲି ଥାନା ପୁଲିସ ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଛି।
