।। କ୍ରାନ୍ତିକ୍ଷେତ୍ର ।। କୋକସରା : ହାଇଦ୍ରାବାଦ ସହରରେ ଓଡ଼ିଆ ଶ୍ରମିକଙ୍କ ଦୁର୍ଦ୍ଦଶା ଘଟିଛି। ଜଣେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବାବେଳେ ବିଲ୍ଡିଂରୁ ଖସି ଅନ୍ୟ ଜଣେ ଶ୍ରମିକ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଖବର ସାମ୍ନାକୁ ଆସିଛି। ମୃତ ଶ୍ରମିକ ଜଣକ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡହଗାଁ ଗ୍ରାମ ପଞ୍ଚାୟତ ସର୍ଗିଗୁଡା ଡଙ୍ଗରୀପଡାର ଜଗମୋହନ ମାଝୀଙ୍କ ପୁଅ ଦୁଲ୍ଲଭ ମାଝୀ ଓ ଗୁରୁତର ଶ୍ରମିକ ସେହି ଗ୍ରାମର ଗୌରଚନ୍ଦ୍ର ମାଝୀଙ୍କ ପୁଅ ଚନ୍ଦ୍ର ଶେଖର ମାଝୀ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ନ, ଗତ ୩/୪ ମାସ ତଳେ ଗାଁର କିଛି ଯୁବକ ମାନଙ୍କ ସହିତ ଦୁଲ୍ଲଭ ଓ ଚନ୍ଦ୍ର ଶେଖର ହାଇଦ୍ରାବାଦ ସହର ପଟାନଚେରୁର ନନ୍ଦିଗାଁଓ କୁ କାମ ଅନ୍ୱେଷଣରେ ଯାଇଥିଲେ। ଏବଂ ସେଠାକାର ଏକ ଘରୋଇ ସଂସ୍ଥା ଜରିଆରେ ବିଲ୍ଡିଂ କାମରେ ଶ୍ରମିକ ଭାବେ ନିୟୋଜିତ ରହିଥିଲେ। ଶୁକ୍ରବାର ସକାଳେ ବିଲ୍ଡିଂରେ କାମ କରୁଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଦୁଲ୍ଲଭ ମାଝୀଙ୍କ ମୃତ୍ୟୁ ହୋଇଥିବାବେଳେ ବିଲ୍ଡିଂରୁ ଖସି ଚନ୍ଦ୍ର ଶେଖର ଗୁରୁତର ଆହତ ହୋଇଛନ୍ତି। ଚନ୍ଦ୍ର ଶେଖର ସ୍ଥାନୀୟ ମେଡିକାଲରେ ସେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଗୋଡ଼ ଭାଙ୍ଗି ଯାଇଥିବାବେଳେ ବ୍ୟୟବହୁଳ ଅସ୍ତ୍ରୋପଚାର ଆବଶ୍ୟକ ରହିଥିବା ଜଣାପଡ଼ିଛି। ଅନ୍ୟପଟେ ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରି ମୃତ ଶ୍ରମିକ ଦୁଲ୍ଲଭ ମାଝୀଙ୍କ ଶବ ଜବତ କରି ମେଡିକାଲରେ ବ୍ୟବଛେଦ କରାଇବା ପରେ ସାଥି ଶ୍ରମିକ ଓ ଠିକା ସଂସ୍ଥା କୁ ହସ୍ତାନ୍ତର କରିଛି। ଠିକାଦାରଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଭିଟାମାଟିକୁ ଶବ ଫେରୁଥିବା ପରିବାର ସୂତ୍ରରୁ ଜଣାପଡ଼ିଛି। ମୃତ ଯୁବକଙ୍କ ପରିବାର ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବାବେଳେ ପରିବାରର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ ଯୋଗୁଁ ଦାଦନ ଖଟିବାକୁ ଯାଇଥିଲେ। ଏଣେ ଭେଣ୍ଡିଆ ପୁଅର ମୃତ୍ୟୁ ଖବର ପରଠାରୁ ପୁରା ପରିବାର ଦୁଃଖରେ ଭାଙ୍ଗି ଯାଇଛନ୍ତି। ମୃତକଙ୍କ ପରିବାର ଏବଂ ଗୁରୁତର ଥିବା ଯୁବକଙ୍କ ଚିକିତ୍ସା ନିମନ୍ତେ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଦାବି ହୋଇଛି।
