।। କ୍ରାନ୍ତିକ୍ଷେତ୍ର ।। ରାୟଗଡ଼ (ପ୍ରଶାନ୍ତ ସେନାପତି) : ରାୟଗଡ଼ ଜିଲ୍ଲାସ୍ତରୀୟ ପିଏମଶ୍ରୀ ଉତ୍ସବ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚବିଦ୍ୟାଳୟ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଏହି କ୍ରମରେ ଦେଶରେ ସରକାରୀ ବିଦ୍ୟାଳୟ ଗୁଡିକୁ ଆଦର୍ଶ ବିଦ୍ୟାଳୟ ଭାବେ ବିକଶିତ କରି ଜାତୀୟ ଶିକ୍ଷାନୀତିକୁ ସଫଳ ରୂପାୟନ କରିବା, ଭିତ୍ତିଭୂମି, ଆନୁସଙ୍ଗିକ ବିକାଶ ସମାବେଶୀ ବିଦ୍ୟାଳୟ ପରିବେଶ ସୃଷ୍ଟି ଓ ଏକବିଂଶ ଶତାବ୍ଦୀ ଉପଯୋଗୀ କୌଶଳ ଶିକ୍ଷା ପ୍ରଦାନ ଏହାର ଲକ୍ଷ୍ୟ ଏବଂ ଏହାର ପୂରଣ ଦିଗରେ ସଭିଏଁ ତତ୍ପର ହେବା ନିମନ୍ତେ ଜିଲ୍ଲାପାଳ କହିଛନ୍ତି। ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହକ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ ଓ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭଜନ ଲାଲ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ବରେଣ୍ୟ ଅତିଥି ରୂପେ ସହକାରୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦେବରାଜ ଟାକ୍ରୀ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶାନ୍ତିଲତା ମୁନି ଓ ସସ୍ମିତା ବେହେରା ଗୋବିନ୍ଦଚନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନମିତା ପଧାନ ପ୍ରମୂଖ ଉପସ୍ଥିତ ଥିଲେ। ବିଶ୍ଵ ସ୍ତରୀୟ ପ୍ଲାଟଫର୍ମ ରେ ଅଂଶ ଗ୍ରହଣ କରିବାର ସୁଯୋଗ ପ୍ରଦାନ ଉଦ୍ଦେଶ୍ଯରେ ପଞ୍ଚଚାଳିଶିଟି ଷ୍ଟଲ୍ ମାଧ୍ୟମରେ ଆକଂକ୍ଷା ମେଳା, ଛାତ୍ର ପରିଷଦ, ଦୋକାନ ଯାତ୍ରା ସହ ବୃତ୍ତିଗତ ଶିକ୍ଷା, ଯାଦୁପେଡ଼ି ପଢିବା- ଗଢ଼ିବା ଆଦି କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା। ପ୍ରଦର୍ଶନୀରେ ପ୍ରଦର୍ଶିତ ପ୍ରକଳ୍ପ ଗୁଡିକ ଶିକ୍ଷଣୀୟ ଓ ଚିତ୍ତାକର୍ଷକ ଥିଲା। ଶେଷରେ ଛାତ୍ର ଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ୧୧ ଗୋଟି ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ, ପ୍ରଥମ ପର୍ଯ୍ୟାୟରେ ପିଏମଶ୍ରୀ ଘୋଷିତ ଏଗାର ଗୋଟି ବ୍ଳକର ପନ୍ଦରଟି ବିଦ୍ୟାଳୟରୁ ୯ଶହ ଛାତ୍ର, ଛାତ୍ରୀ ଏବଂ ଶିକ୍ଷକ, ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ।
