କୁଆଡେ ଗଲେ ଡ୍ରଗ ଇନ୍ସପେକ୍ଟର ; ପ୍ରାୟ ୬ ମାସରୁ ଉର୍ଦ୍ଧ୍ବ ହେଲାଣି କେସିଙ୍ଗା ଆସିନାହାନ୍ତି ଅଧିକାରୀ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ଜିଲ୍ଲାର ପ୍ରମୁଖ ଔଷଧ ହୋଲସେଲ ବଜାର ଭାବରେ ବେଶ୍ ଜଣାଶୁଣା। ଏଠାରେ ଅନେକ ଛୋଟବଡ଼ ଔଷଧ ହୋଲସେଲ ଦୋକାନ ରହିଛି। ସେମାନେ କେବଳ କଳାହାଣ୍ଡି ଜିଲ୍ଲା ନୁହେଁ ବରଂ ପଡୋଶୀ ନୂଆପଡ଼ା, ବଲାଙ୍ଗୀର, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲା ପର୍ଯ୍ୟନ୍ତ ଔଷଧ ଯୋଗାଣ କରୁଛନ୍ତି। ସୂଚନା ଯେ କେସିଙ୍ଗା କୁ ବଲାଙ୍ଗୀର ରୁ ବଡ଼ଭାଗ ଔଷଧ ଆସିଥାଏ। କେସିଙ୍ଗାରେ ନକଲି ଔଷଧ ଧରାପଡ଼ିନି ସତ କଥା ହେଲେ ନକଲି ଔଷଧର ସଂଜ୍ଞା କ’ଣ ଓ କେମିତି ଅସଲି ନକଲି ର ପାର୍ଥକ୍ୟ ଲୋକେ ଜାଣିବେ ସେଇଟା ଜନସାଧାରଣ ଜାଣି ନାହାନ୍ତି ବୋଲି ଆଜି ପର୍ଯ୍ୟନ୍ତ ନକଲି ଔଷଧ ଧରାପଡ଼ି ନାହିଁ। ଅସଲି ନକଲି ଔଷଧ କିପରି ଉପଭୋକ୍ତା ଜାଣି ପାରିବେ ସେ ବିଷୟ ଉପରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନ ମଧ୍ୟ କରାଯାଉନାହିଁ। ଅସଲି ନକଲି ର ସତ୍ୟା ସତ୍ୟ ଜାଣିବା ପାଇଁ  ଡ୍ରଗ ଇନ୍ସପେକ୍ଟର ରଖାଯାଇଛି। ହେଲେ ବାବୁ ମାନେ କେବେ ଆସୁଛନ୍ତି କେତେବେଳେ ଆସୁଛନ୍ତି, କେଉଁ ଦୋକାନରେ ଅସଲି ନକଲି ଚେକ କରୁଛନ୍ତି ଜାଣି ହେଉନାହିଁ। ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ’ କେସିଙ୍ଗା କୁ ଡ୍ରଗ ଇନ୍ସପେକ୍ଟର ଗତ ସେପ୍ଟେମ୍ବର ମାସ ର ଶେଷ ସପ୍ତାହ ରେ ଆସିଥିଲେ। ହେଲେ ଆଜକୁ ପ୍ରାୟ ୬ ମାସରୁ ଉର୍ଦ୍ଧ୍ବ ହେଲାଣି ଇନ୍ସପେକ୍ଟର କେସିଙ୍ଗା କୁ ପାଦ ପକାଇ ନାହାନ୍ତି। କିଛି ଦିନ ତଳେ କେସିଙ୍ଗା ସହରରେ ଥିବା ଏକ ମେଡିକାଲ ଷ୍ଟୋର ରେ କେସିଙ୍ଗା ର ଜଣେ ରୋଗୀ ଙ୍କୁ ଭୁଲ ରେ ଏକ ଏକ୍ସପାୟରି ଔଷଧ ଦେଇ ହଟହଟା ହୋଇଥିଲେ। ପରେ ଅଭିଯୋଗ କରିଥିବା ଲୋକକୁ ପଇସା ଲୋଭ ଦେଖାଇ କଥାକୁ ଚପାଇ ଦେବା ପାଇଁ ଉଦ୍ୟମ ହୋଇଥିବା ସହରରେ ଚର୍ଚ୍ଚା ର ବିଷୟ ପାଲଟିଥିଲା। ଏହି ଭଳି ପରିସ୍ଥିତିରେ ଡ୍ରଗ ଇନ୍ସପେକ୍ଟରଙ୍କ କେସିଙ୍ଗା କୁ ଅଣଦେଖା କେତେ ଦୂର ଯୁକ୍ତି ଯୁକ୍ତ ତାହା ଆଗାମୀ ଦିନରେ ଆକଳନ କରାଯିବ। ଆମେ ଉକ୍ତ ବିଷୟ ଉପରେ ଆଲୋଚନା କରିବାକୁ ଜିଲ୍ଲାର ଡ୍ରଗ ଇନ୍ସପେକ୍ଟରଙ୍କ ସହିତ ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲୁ ହେଲେ ଯୋଗାଯୋଗ ସମ୍ଭବ ହୋଇ ପାରିନଥିଲା।