ରାୟଗଡ଼ା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ଜାତୀୟ ରାଜପଥ–୩୨୬ ଅନ୍ତର୍ଗତ ରାୟଗଡ଼ା ସହରର ଗୁରୁତ୍ୱପୂର୍ଣ୍ଣ ରେଳ ଓଭର ବ୍ରିଜ ଆରଓବି ଉପରେ ଆବଶ୍ୟକୀୟ ପୁନରୁଦ୍ଧାର ଓ ମରାମତି କାର୍ଯ୍ୟ ଚାଲିଥିବାରୁ ଗତ ୧୦ ଜାନୁଆରୀଠାରୁ ସେତୁଟିକୁ ସମସ୍ତ ପ୍ରକାର ଯାନ ଚଳାଚଳ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା। ଏହା ଫଳରେ ସାଧାରଣ ଜନଜୀବନ ଓ ଯାତାୟାତ ବ୍ୟବସ୍ଥାରେ କିଛି ସମସ୍ୟା ସୃଷ୍ଟି ହୋଇଥିଲେ ମଧ୍ୟ, ସୁରକ୍ଷାକୁ ପ୍ରାଥମିକତା ଦେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ବର୍ତ୍ତମାନ ପୁନରୁଦ୍ଧାର କାର୍ଯ୍ୟର ଆଂଶିକ ସମାପ୍ତି ଓ ପରିସ୍ଥିତିର ସୁଧାର ହେବା ପରେ ଜିଲ୍ଲା ପ୍ରଶାସନ ଦ୍ୱାରା ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏକ ଆଂଶିକ ରାହତ ଦିଆଯାଇଛି। ମାର୍ଚ୍ଚ ୧୯ ଅର୍ଥାତ୍ ଗୁରୁବାର ଦିନ ଠାରୁ ପ୍ରତିଦିନ ସକାଳ ୭.୦୦ ଘଟିକାରୁ ସନ୍ଧ୍ୟା ୯.୦୦ ଘଟିକା ପର୍ଯ୍ୟନ୍ତ କେବଳ ଦୁଇ ଚକିଆ ଯାନ ଚଳାଚଳ ପାଇଁ ଏହି ଆରଓବି ଉପରେ ଅନୁମତି ପ୍ରଦାନ କରାଯାଇଛି ବୋଲି ରାୟଗଡ ଜିଲ୍ଲାପାଳ ଆଶୁତୋଷ କୂଲକର୍ଣ୍ଣି ପ୍ରେସ ବାର୍ତ୍ତାରେ ସୁଚନା ଦେଇଛନ୍ତି।ତଥାପି, ଚାଲୁଥିବା ନିର୍ମାଣ କାର୍ଯ୍ୟ ଓ ସେତୁର ସୁରକ୍ଷାକୁ ଦୃଷ୍ଟିରେ ରଖି, ଦୁଇ ଚକିଆ ବ୍ୟତୀତ ଅନ୍ୟ ସମସ୍ତ ଯାନ- ଯଥା ଚାରି ଚକିଆ ଯାନ, ଭାରୀ ଯାନ ଓ ବାଣିଜ୍ୟିକ ଯାନମାନଙ୍କ ଚଳାଚଳ ପୂର୍ବରୁ ଜାରି ଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଅନ୍ୟ ବିକଳ୍ପ ରାସ୍ତା ଦ୍ୱାରା ଚାଲୁ ରହିବ, ଜିଲ୍ଲାପାଳ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସେତୁ ଉପରେ ଯାତାୟାତ ସମୟରେ ସମସ୍ତ ଯାନଚାଳକ ଗତି ସୀମା ପାଳନ କରିବେ, ହେଲମେଟ୍ ପରିଧାନ କରିବେ ଓ ଟ୍ରାଫିକ୍ ନିୟମକୁ କଢ଼ାକଢ଼ି ମାନିବେ। ଆବଶ୍ୟକ ସ୍ଥାନରେ ପୋଲିସ୍ ଓ ପ୍ରଶାସନିକ କର୍ମଚାରୀମାନେ ନିୟୋଜିତ ରହିବେ, ଯାହା ଯାତାୟାତକୁ ସୁଚାରୁ ଓ ସୁରକ୍ଷିତ ରଖିବାକୁ ସହାୟକ ହେବ ବୋଲି କହିଛନ୍ତି।
