ରାୟଗଡ଼/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ଓଡ଼ିଶା ସରକାରଙ୍କ ପ୍ରଚଳିତ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଅନ୍ତର୍ଗତ ରାୟଗଡ଼ ଜିଲ୍ଲାର କୋଳନାରା ବ୍ଲକରୁ ୧୧୧ ଜଣ ଯାତ୍ରୀ ୯ ଜଣ ଏସକର୍ଟ ଅଧିକାରୀଙ୍କ ସହ ଶ୍ରୀକ୍ଷେତ୍ର ପୁରୀ ଯାତ୍ରା ପାଇଁ ଆଜି ରବାନା ହୋଇଛନ୍ତି। କୋଳନାରା ବସ୍ସ୍ଟାଣ୍ଡରୁ ୩ଟି ବସ୍ ମାଧ୍ୟମରେ ଏହି ପବିତ୍ର ଯାତ୍ରାର ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ, ବିଡିଓ କୋଳନାରା ରୀନା ପ୍ରଧାନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲ୍ଲା ପରିଚାଳକ ଓଡିଶା ରାଜ୍ୟ ପାରିବହନ ନିଗମ, ପଞ୍ଚାୟତ ସମିତି କୋଳନାରା ଅଧକ୍ଷା ସଂଯୁକ୍ତା କୁଲେସିକା ଓ ପର୍ଯ୍ୟଟନ ଅଧିକାରୀ ସୁବୋଧ ଛତ୍ରୀୟା ଉପସ୍ଥିତ ରହି ଯାତ୍ରୀମାନଙ୍କୁ ଫୁଲ ଓ ଶୁଭେଚ୍ଛା ସହ ଆଶୀର୍ବାଦ ଜଣାଇଥିଲେ। ସେମାନେ ଯାତ୍ରୀମାନଙ୍କୁ ସୁଖଦ, ସୁରକ୍ଷିତ ଓ ସ୍ମରଣୀୟ ଯାତ୍ରା ପାଇଁ କାମନା କରିଥିଲେ। ସମସ୍ତ ଯାତ୍ରୀଙ୍କ ପାଇଁ ଯାତାୟାତ, ଖାଦ୍ୟ, ରହଣି ଓ ଚିକିତ୍ସା ସହିତ ଆବଶ୍ୟକ ସୁବିଧା ସରକାର ପକ୍ଷରୁ ବ୍ୟବସ୍ଥା କରାଯାଇଥିବାବେଳେ ଯାତ୍ରା ସମୟରେ ସମ୍ପୂର୍ଣ୍ଣ ନିରାପତ୍ତା ଓ ନିରୀକ୍ଷଣ ପାଇଁ ଏସକର୍ଟ ଅଧିକାରୀମାନେ ନିଯୁକ୍ତ ହୋଇଛନ୍ତି। ଏହି ଯୋଜନା ମାଧ୍ୟମରେ ଆର୍ଥିକ ଭାବେ ଦୁର୍ବଳ ଓ ବଞ୍ଚିତ ଶ୍ରେଣୀର ଲୋକମାନେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର ଏକ ସୁଯୋଗ ପାଉଛନ୍ତି। ଯାହା ସାମାଜିକ ଓ ଆଧ୍ୟାତ୍ମିକ ମାନସିକତାକୁ ଉନ୍ନତ କରିବାରେ ସହାୟକ ହେଉଛି। ଏହାକୁ ସ୍ଥାନୀୟ ଅଞ୍ଚଳର ଲୋକମାନେ ସ୍ୱାଗତ କରିଥିବା ଦେଖାଯାଇଛି।
