ରାୟଗଡ଼ା ପୌରପରିଷଦ ପକ୍ଷରୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଚେତନତା

ରାୟଗଡ଼ା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ଆଜି ରାୟଗଡ଼ ପୌରପରିଷଦ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମିଳିତ ଆନୁକୂଲ୍ୟରେ ସହରରେ ଏକ ବ୍ୟାପକ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମଟି ସ୍ଥାନୀୟ ଜ୍ଯୋତି ମହଲ ଛକ ଠାରୁ ଆରମ୍ଭ ହୋଇ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦେଇ କପିଳାସ ଛକ ଠାରେ ଶେଷ ହୋଇଥିଲା। ପର୍ଯ୍ୟାୟ କ୍ରମେ ରାୟଗଡ଼ ସହରର ସମସ୍ତ ୱାର୍ଡ ଏବଂ ଛକ ମାନଙ୍କରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ରହିଛି। ଏହି ଅଭିଯାନ ସମୟରେ ବିଭିନ୍ନ ଘର ଏବଂ ଦୋକାନୀମାନଙ୍କୁ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ (ଥରେ ବ୍ୟବହୃତ ପ୍ଲାଷ୍ଟିକ) ର ଅପକାରିତା ଏବଂ ଏହାର ନିଷେଦ୍ଧାଦେଶ  ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଲିଫଲେଟ୍ ବଣ୍ଟନ କରାଯାଇଥିଲା ଏବଂ ସରକାରଙ୍କ ଦ୍ୱାରା ନିଷିଦ୍ଧ ହୋଇଥିବା ପ୍ଲାଷ୍ଟିକ ପଲିଥିନ, ପ୍ଲାଷ୍ଟିକ ପତାକା, ଚକୋଲେଟ୍ ଷ୍ଟିକ୍, ପ୍ଲାଷ୍ଟିକ ପ୍ଲେଟ୍, କପ୍, ଗ୍ଲାସ୍, ଚାମଚ, ଷ୍ଟ୍ର ଏବଂ ଟ୍ରେ ଆଦି ବ୍ୟବହାର ନକରିବାକୁ ଅନୁରୋଧ କରାଯାଇଥିଲା। ଏହି ସଚେତନତା ଶୋଭାଯାତ୍ରାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ପରିଚାଳକ, ରାୟଗଡ଼ା ପୌରପରିଷଦର ପୌରାଧ୍ୟକ୍ଷ, କାର୍ଯ୍ୟନିର୍ବାହୀ ଅଧିକାରୀ, ସମ୍ପୃକ୍ତ ୱାର୍ଡ କାଉନସିଲର, ସ୍ୱଚ୍ଛ ସାଥୀ, ସ୍ୱଚ୍ଛ ସୁପରଭାଇଜର, କନିଷ୍ଠ ପରିମଳ ଯନ୍ତ୍ରୀ , ପରିମଳ ନିରୀକ୍ଷକ ଏବଂ ପୌରପରିଷଦର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ରାୟଗଡ଼ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ କୁଳଦିପ କୁମାର ସାଧାରଣ ଜନତାଙ୍କୁ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ ବର୍ଜନ କରିବାକୁ ଅନୁରୋଧ କରିଥିଲେ। ସେହିପରି ପୌରାଧ୍ୟକ୍ଷ ପି. ମହେଶ ପଟ୍ଟନାୟକ ସମସ୍ତ ଗୃହମାଲିକ ଓ ବ୍ୟବସାୟୀମାନଙ୍କୁ ନିଷିଦ୍ଧ ପ୍ଲାଷ୍ଟିକ ସାମଗ୍ରୀ ଗଚ୍ଛିତ ନ ରଖିବା ପାଇଁ ସତର୍କ କରାଇବା ସହିତ ଏହାର ଅବମାନନା କଲେ ଆଇନ ଅନୁଯାୟୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି। ସହରକୁ ସ୍ୱଚ୍ଛ ଏବଂ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପୌର ପ୍ରଶାସନ ପକ୍ଷରୁ ସହଯୋଗ କାମନା କରାଯାଇଛି।