କାଳବୈଶାଖୀ, କୁଆପଥର ବର୍ଷାରେ ବ୍ୟାପକ କ୍ଷତି

କୋକସରା/କ୍ରାନ୍ତିକ୍ଷେତ୍ର : ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ କୁଆପଥର ମାଡ଼ ଓ ପ୍ରବଳ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳର ବିଭିନ୍ନ ଗ୍ରାମର ଚାଷୀଙ୍କ ବ୍ୟାପକ କ୍ଷତି ହୋଇଛି। ବିଶେଷ କରି ବ୍ଳକର ଆମପାଣି, ବରାଡଙ୍ଗା, ଲଡୁଗାଁ ଓ ବଡ଼ପୋଡ଼ାଗୁଡ଼ା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। କୁଆପଥର ମାଡ଼ ଓ ପ୍ରବଳ ବର୍ଷା ଯୋଗୁଁ ଡାଲି ଜାତୀୟ ଫସଲ ମୁଗ, ବିରି, ସୂର୍ଯ୍ୟମୁଖୀ ଚାଷ ନଷ୍ଟ ହେବା ସହ ପନିପରିବା ଏବଂ ଆମ୍ବ ନଷ୍ଟ ହୋଇଯାଇଛି। ଏମିତିକି ଅନେକ ଲୋକଙ୍କ ଆଜବେଷ୍ଟସ ଓ ଘରର ଖପର ଭାଙ୍ଗି ଯାଇଥିବା ମଧ୍ୟ ଖବର ରହିଛି। ବ୍ଳକର ଆମପାଣି ପଞ୍ଚାୟତ ପାତ୍ରବସା ବଡିଆପଡାର ପରିବା ଚାଷୀ ଯାଦବ ନାଏକଙ୍କ ବାଇଗଣ, ଟମାଟୋ, ପିଆଜ, ଆଲୁ ଓ ଆମ୍ବ ଆଦି ନଷ୍ଟ ହୋଇଯାଇଛି। ସେହିପରି ବରାଡଙ୍ଗା ଗ୍ରାମ ପଞ୍ଚାୟତ ସିଉନୀ ଗ୍ରାମର ଚାଷୀ କୃପାସିନ୍ଧୁ ରାଉତଙ୍କ ମୁଗା ଚାଷ ନଷ୍ଟ ହୋଇଯାଇଛି। ଗଜନନ ରାଉତ, ଦିନ ରାଉତ, ମାଧବୀ ଦଳପତି ସମେତ ଅନେକ ଚାଷୀଙ୍କ ପନିପରିବା ଚାଷ ମଧ୍ୟ ନଷ୍ଟ ହୋଇଯାଇଛି। ଆମପାଣି ପଞ୍ଚାୟତ କନ୍ଦାଗଡ ଗ୍ରାମର ବୈଷ୍ଣବ ମାଝୀ, ଲକ୍ଷ୍ମଣ ବାଗ, ଦୈତାରୀ ମାଝୀ, ରଘୁ ମାଝୀ, ବାସୁଦେବ ମାଝି, ଲକ୍ଷ୍ମୀକାନ୍ତ ମାଝୀ, କ୍ଷୀରସିନ୍ଧୁ ମାଝୀ, ଯୋଗେନ୍ଦ୍ର ମାଝୀ, ଛନ୍ଦା ଧଙ୍ଗଡାମାଝୀ, ରାଜ ଧଙ୍ଗଡାମାଝୀ, ଆଶାରାମ ମାଝୀ, ସୁଦର ମାଝୀ ଓ ଚୈବନ ମାଝୀ, ନିକୁଞ୍ଜ ମାଝୀ, ହାତିରାମ ମାଝୀ, ମଣିରାମ ନାଏକ, ମାଧବ ନାଏକ, ସୁବାଷ ଚନ୍ଦ୍ର ନାଏକ, ବାଳକୃଷ୍ଣ ମାଝୀ ସମେତ ଅନେକ ଲୋକଙ୍କ ଛପର ଘର ମଧ୍ୟ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ସେହିପରି ବ୍ଳକର ବିଭିନ୍ନ ଗ୍ରାମର ଚାଷୀଙ୍କ ପନିପରିବା ଚାଷ ନଷ୍ଟ ହେବା ସହିତ ଘରର ଛାତ ଉପଡିଥିବା ଜଣାପଡ଼ିଛି। ପନିପରିବା କ୍ଷୟକ୍ଷତି ସମ୍ପର୍କରେ କୋକସରା ଗୋଷ୍ଠୀ କୃଷି ଅଧିକାରୀ ରାକେଶ କୁମାର ମାଝୀଙ୍କ ପ୍ରତିକ୍ରିୟା ନେବାରୁ କୃଷି ବିଭାଗ ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଏକ ମିଳିତ ବୈଠକ କରାଯାଇ ୭୨ ଘଣ୍ଟା ମଧ୍ୟରେ ଆକଳନ କରାଯିବ ବୋଲି କହିଛନ୍ତି। ସେହିପରି ଘର ଓ ଅନ୍ୟାନ୍ୟ କ୍ଷୟକ୍ଷତି ଆକଳନ ପାଇଁ କୋକସରା ଅତିରିକ୍ତ ତହସିଲଦାର ମୋହନ୍ ଚରଣ ଜେନାଙ୍କ ପ୍ରତିକ୍ରିୟା ନେବାରୁ ସମସ୍ତ ରାଜସ୍ୱ ନିରୀକ୍ଷକ ମାନଙ୍କୁ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାପାଇଁ କୁହାଯାଇଥିବା ପ୍ରକାଶ କରିଛନ୍ତି।