ଜନଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କ ତାଲିମ୍ ଶିବିର

ମ,ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ,ରାମପୁରଠାରେ ଥିବା ଦୁର୍ଗାମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜନ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କ ତାଲିମ୍ ଶିବିର ଉଦ୍ଘାଟିତ ହୋଇ ଯାଇଛି। ମ,ରାମପୁର ତହସିଲଦାର ମୀମାଂସା ସାହୁଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ତାଲିମ୍ ଶିବିରର ଉଦ୍ଘାଟନୀ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ଜନ ଗଣନା ଅଭିଯାନର ମୁଖ୍ୟ ସୌରଭ ତିୱାରୀ ଯୋଗ ଦେଇଥିଲେ। ଅତିରିକ୍ତ ତହସିଲଦାର ଶମ୍ଭୁ ପ୍ରସାଦ ନାଏକ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ କାର୍ଯ୍ୟକ୍ରମର ଅଧ୍ୟକ୍ଷ ଜନଗଣନା ୨୦୨୭ ପ୍ରଥମ କରି ଡିଜିଟାଲ ପ୍ରକ୍ରିୟାରେ କରାଯିବ ଏବଂ ଏହି କାର୍ଯ୍ୟକ୍ରମରେ ସମସ୍ତେ ନିଷ୍ଠା ଓ ଆନ୍ତରିକତା ର ସହ ଦାୟିତ୍ଵ ନିର୍ବାହ କରିବେ ବୋଲି ସୂଚନା ଦେଇଥିଲେ। ତାଲିମ୍ ଦାତା ଭାବେ ଭୂପେନ୍ଦ୍ର ବେଶ୍ରା, ଗୋବିନ୍ଦ ପଧାନ ତାଲିମ୍ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ପ୍ରଥମ ପର୍ଯ୍ୟାୟ ତାଲିମ୍ ଆରମ୍ଭ ହୋଇଥିବାବେଳେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ଅନ୍ୟ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଉଦ୍ଘାଟନୀ ଉତ୍ସବ ପରେ ତାଲିମ୍ ଦାତା ମାନଙ୍କ ଦ୍ଵାରା ତାଲିମ୍ ପ୍ରଦାନ କରାଯାଇଥିଲା। ଏହି ତାଲିମ୍ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣା ପଡ଼ିଛି। ପ୍ରତି ୧୦ ବର୍ଷରେ ଥରେ ଜନଗଣନା ହୋଇଥାଏ ଗତ ୨୦୧୧ ରେ ଜନଗଣନା ଅନୁଷ୍ଠିତ ହୋଇଥିଲା, ୨୦୨୧ ରେ ପୁଣି ଥରେ ଜନଗଣନା ହେବା କଥା ହେଲେ ମହାମାରୀ କରୋନା ଯୋଗୁଁ ଏହା ସ୍ଥଗିତ ରଖା ଯାଇଥିଲା ଏବେ ପୁଣି ୨୦୨୭ ରେ ଆରମ୍ଭ ହୋଇଛି ଜନଗଣନା ପ୍ରକ୍ରିୟା, ପ୍ରଥମ ପର୍ଯ୍ୟାୟ ରେ ୧୬ ଏପ୍ରିଲ ୨୦୨୬ ରୁ ୧୫ ମଇ ୨୦୨୬ ଯାଏ ଗୃହ ଗଣନା କରାଯିବ, ୨୦୨୭ ଫେବୃଆରୀ ୯ ରୁ ୨୮ ଯାଏ ଜନଗଣନା ଚାଲିବ ବୋଲି ସରକାର ଦିନ ଧାର୍ଯ୍ୟ କରିଛନ୍ତି, ପ୍ରଥମ କରି ଏକ ନୂଆଁ ରୂପ ଯାହାକି କମ୍ପ୍ୟୁଟରୀକରଣ ତଥା ଡିଜିଟାଲ ମୋଡ଼ରେ କରାଯିବ, ଏଥିପାଇଁ ମ.ରାମପୁର ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଅଭିଜ୍ଞ ଶିକ୍ଷକ ଶିକ୍ଷୟତ୍ରୀ ମାନଂକୁ ନେଇ ଏହି ଗୁରୁତ୍ୱ ପୂର୍ଣ୍ଣ ତାଲିମ ଆରମ୍ଭ ହୋଇଛି । ତାଲିମ୍ ଶିବିର ପରିଚାଳନା ରେ ତହସିଲ୍ କାର୍ଯ୍ୟାଳୟର କର୍ମଚାରୀ ମାନେ ସହଯୋଗ କରୁଛନ୍ତି।