ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ସାରା ରାଜ୍ୟରେ ଘରୋଇ ଗ୍ୟାସର ଅଭାବ ଦେଖା ଦେଇଥିବାବେଳେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ବିଭିନ୍ନ ହୋଟେଲ, ଠେଲା, ଫାଷ୍ଟ ଫୁଡ୍ ଓ ଢାବାରେ ଉଜ୍ଜ୍ୱଳା ଯୋଜନା ଗ୍ୟାସ୍ ବହୁ ମାତ୍ରାରେ ବେଆଇନ ଭାବେ ବ୍ୟବହାର କରାଯାଉଛି। କିନ୍ତୁ ଘରୋଇ ଏଲ୍ପିଜି ସିଲିଣ୍ଡର ବ୍ୟବହାର ହେଉଥିଲେ ମଧ୍ୟ ଏଥିରେ ଚଢ଼ଉ କରାଯାଉନାହିଁ। କମର୍ସିଆଲ ରୋଷେଇ ଗ୍ୟାସ ଆଉ ହୋଟେଲ, ଢାବା ମଧ୍ୟକୁ ବ୍ୟବହାର ହେଉନାହିଁ। ବ୍ୟବସାୟୀମାନଙ୍କ ନଜର ଏବେ ଉଜ୍ଜଳା ଯୋଜନାରେ ଗ୍ୟାସ ପାଇଥିବା ହିତାଧିକାରୀଙ୍କ ଗ୍ୟାସ୍ କୁ କଳାବଜାରୀ କରି ବ୍ୟବହାର କରୁଛନ୍ତି। ଗ୍ରାମାଞ୍ଚଳର ହିତାଧିକାରୀ ନିୟମିତ ଗ୍ୟାସ ନେଉ ନଥିବାରୁ ଏହାର ଫାଇଦା ନେବାକୁ ଯୋଜନା ଆରମ୍ଭ କରିଛନ୍ତି। ଯେଉଁମାନେ ନିୟମିତ ଗ୍ୟାସ ନେଉ ନାହାନ୍ତି, ଏଜେଣ୍ଟମାନଙ୍କ ଦ୍ୱାରା ସେମାନଙ୍କୁ ଚିହ୍ନଟ କରୁଥିବା ଜଣାପଡିଛି। ଗ୍ୟାସ ସିଲିଣ୍ଡର ପିଛା ୭ ଶହରୁ ୮ଶହ ଟଙ୍କା ଅଧିକ ଦେବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି। ଘରୋଇ ଗ୍ୟାସ ଲାଗି ଯେମିତି ସମସ୍ୟା ନହେବ, ସେଥିଲାଗି କମର୍ସିଆଲ ରୋଷେଇ ଗ୍ୟାସ ସିଲିଣ୍ଡର ଯୋଗାଣ ବନ୍ଦ ରହିଛି। ଡିଲରଙ୍କ ନିକଟରେ ଯେତିକି ଷ୍ଟକ ରହିଛି, ଏହା ସରିବା ପରେ ଆଉ ଆସିବ ନାହିଁ। ଏଭଳି ସ୍ଥିତିରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଥିବା ବଡ଼ବଡ଼ ହୋଟେଲ ଓ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଡକ ପଡ଼ିଛି। ଆଗକୁ କେମିତି ରୋଷେଇରେ ସମସ୍ୟା ହେବନାହିଁ, ସେଥିଲାଗି ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ସଂଯୋଗ ପାଇଥିବା ହିତାଧିକାରୀଙ୍କୁ ଖୋଜା ଚାଲିଛି। କାରଣ ଗ୍ରାମାଞ୍ଚଳରେ ରହୁଥିବା ଉଜ୍ଜ୍ୱଳା ଯୋଜନା ହିତାଧିକାରୀ ନିୟମିତ ଗ୍ୟାସ ନେଉ ନାହାନ୍ତି। ଏହା ଡିଲର ଓ ବ୍ୟବସାୟୀ ଜାଣିଛନ୍ତି। ପୂର୍ବରୁ ଟାର୍ଗେଟ ପୂରଣ କରିବାକୁ ସହରର କେତେକ ଗ୍ୟାସ ବିତରକ ସଂସ୍ଥା ଉଜ୍ଜ୍ୱଳା ଯୋଜନାର ଗ୍ୟାସ ବ୍ୟବସାୟୀଙ୍କୁ ଯୋଗାଉଥିଲେ। ଏବେ କମର୍ସିଆଲ ଗ୍ୟାସ ବନ୍ଦ ହେବା ପରେ ଉଜ୍ଜ୍ୱଳା ହିତାଧିକାରୀଙ୍କ ଗ୍ୟାସ କିପରି ପାଇବେ, ସେଥିଲାଗି ଡେଲିଭରି ବୟଙ୍କ ସହ ବ୍ୟବସାୟୀମାନେ ଯୋଗାଯୋଗରେ ରହିଛନ୍ତି। ଅଧିକ ଦର ପଡ଼ିଲେ ବି କିଣିବାକୁ ପ୍ରସ୍ତୁତ ଅଛନ୍ତି। ଏଭଳି ବେଆଇନ କାରବାର ହେଉଥିଲେ ମଧ୍ୟ ଏସବୁ ବିଷୟରେ ଅଧିକାରୀଙ୍କ ନଜର ଥିଲେ ସୁଦ୍ଧା ଚଢାଉ କରାଯାଉ ନାହିଁ କି କାର୍ଯାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଅଧିକାରୀ ମାନେ ନିଦାବିଷ୍ଣୁ ସାଜିଥିବା ଆଲୋଚନା ହେଉଛି। ଏଣୁ ବିଭିନ୍ନ ହୋଟେଲ, ଢାବା, ଫାଷ୍ଟ ଫୁଡ୍ ସେଣ୍ଟର୍ ଠେଲା ଭଳି ଜାଗାରେ ଚଢାଉ କରି ଏପରି ଅନିୟମିତତା ରୋକିବା ସହ ସଂପୃକ୍ତ ସଂସ୍ଥା ଓ କର୍ମଚାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି।
