ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳରେ ରବି ଧାନ ପଞ୍ଜିକରଣକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଚଳିତ ବର୍ଷ ବାମ, ଡାହାଣ ମୁଖ୍ୟ କେନାଲରେ ୫୭,୫୭୪ ହେକ୍ଟର ଓ ଲିଫ୍ଟ କେନାଲରେ ୧୮,୮୫୫ ହେକ୍ଟର ଚାଷଜମିରେ ରବି ଧାନ ଚାଷ ହୋଇଛି। ତେବେ ବର୍ତ୍ତମାନ ଧାନ ବିକ୍ରି ପଞ୍ଜିକରଣ ପାଇଁ ସମୟ ସୀମା କମ୍ ଥିବାବେଳେ ପ୍ରଶାସନିକ ଅବ୍ୟବସ୍ଥା ଯୋଗୁଁ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ ୧୦ ତାରିଖ ରୁ ୨୫ ତାରିଖ ପର୍ଯ୍ୟନ୍ତ ୧୫ ଦିନ ସମୟ ରହିଛି।ଏଥିପାଇଁ ସକାଳୁ ଚାଷୀମାନେ ନିଜର କାମଧନ୍ଦା ଛାଡ଼ି ପଞ୍ଜିକରଣ କେନ୍ଦ୍ରରେ ଭିଡ଼ ଜମାଉଛନ୍ତି। ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ରହିବା ପରେ ମଧ୍ୟ ଅନେକ ସମୟରେ ପଞ୍ଜିକରଣ ହୋଇପାରୁନାହିଁ। ପଞ୍ଜିକରଣ କେନ୍ଦ୍ରଗୁଡ଼ିକରେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ପାନୀୟ ଜଳ କିମ୍ବା ଛାଇର ବ୍ୟବସ୍ଥା ନାହିଁ। ମହିଳା ଚାଷୀମାନଙ୍କ ପାଇଁ କୌଣସି ସ୍ୱତନ୍ତ୍ର ସୁବିଧା ନଥିବାରୁ ସେମାନେ ଅତି ଦୟନୀୟ ଅବସ୍ଥାରେ ଅପେକ୍ଷା କରୁଛନ୍ତି। ସବୁଠାରୁ ବଡ଼ ସମସ୍ୟା ହେଉଛି ମେଗାଲିଫ୍ଟ କେନାଲ ମାଧ୍ୟମରେ ଚାଷ କରିଥିବା ଚାଷୀଙ୍କ ପାଇଁ। ସେମାନଙ୍କ ପାଇଁ ଅନଲାଇନ୍ ପଞ୍ଜିକରଣ ସାଇଟ୍ ଖୋଲୁନାହିଁ। ଗୋଟିଏ ସପ୍ତାହ ଧରି ସେମାନେ ପେକ୍ସ ଏବଂ ଘର ମଧ୍ୟରେ ଦୌଡ଼ି ଦୌଡ଼ି ନିରାଶ ହେଲେଣି। ନିରୀହ ଚାଷୀମାନେ ଏହି ଅବ୍ୟବସ୍ଥାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ନିମ୍ନଲିଖିତ ଦାବି ରଖିଛନ୍ତି, ପଞ୍ଜିକରଣ ସମୟ ସୀମାକୁ ବୃଦ୍ଧି କରାଯାଉ। ପଞ୍ଜିକରଣ କେନ୍ଦ୍ରରେ ତୁରନ୍ତ ପାନୀୟ ଜଳ ଏବଂ ବିଶ୍ରାମ ପାଇଁ ଛାଇର ବ୍ୟବସ୍ଥା କରାଯାଉ।ମେଗାଲିଫ୍ଟ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ବୈଷୟିକ ସମସ୍ୟାର ତୁରନ୍ତ ସମାଧାନ କରି ସେମାନଙ୍କ ନାମ ପଞ୍ଜିକରଣ କରାଯାଉ।
