ରାୟଗଡ଼ା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ଖରା ଦିନ ଆରମ୍ଭରୁ ବିଶୁଦ୍ଧ ପାନୀୟ ଜଳ ର ଘୋର ଅଭାବ ପରିଲକ୍ଷିତ ହେଉଛି। ଏପରିକି ଅନେକ ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ସଂଗ୍ରହ କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସଦର ପଞ୍ଚାୟତର ୧୫ନମ୍ବର ୱାର୍ଡ ଘାଗୁଡ଼ିମାଳ ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ସମସ୍ୟା ଦେଖା ଦେଇଥିବାରୁ ଚୁଆଁ ପାଣି ଭରସା କରି ଚଳୁ ଥିବା ଦେଖିବାକୁ ମିଳିଛି। ସଦର ମହକୁମା ଠାରୁ ପ୍ରାୟ ୩କିମି ଦୂରରେ ଘାଗୁଡିମାଳ ଗ୍ରାମ ରହିଛି। ଉକ୍ତ ଗ୍ରାମରେ ପ୍ରାୟ ୬୦ ଘର ରହିଥିବାବେଳେ ୫୦୦ଜନ ସଂଖ୍ୟା ରହିଛି। ଏହି ଗ୍ରାମରେ ତିନୋଟି ନଳକୂପ ରହିଛି। ଗ୍ରାମ ଶେଷ ଭାଗରେ ରହିଥିବା ନଳକୂପ ବ୍ୟବହାର ଉପଯୋଗୀ ନଥିବା ବେଳେ ଅନ୍ୟଟି ଖରାପ ହୋଇ ପଡ଼ିରହିଛି। ପଞ୍ଚାୟତ ପକ୍ଷରୁ ଗୋଟିଏ ନଳକୂପରେ ସୌରଚଳିତ ବୋର ଲଗାଇ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଥିଲା। ବର୍ତ୍ତମାନ ଖରା ହେଉଥିବା ଯୋଗୁଁ ଜଳସ୍ତର କମିଯିବା ଫଳରେ ସୌରଚଳିତ ବୋରରୁ ପ୍ରାୟ ୧୦ରୁ ୧୫ ହାଣ୍ଡି ପାଣି ପଡୁଛି। ଏତେ ଗୁଡିଏ ପରିବାରକୁ ବିଶୁଦ୍ଧ ପାଣି ନିୟଣ୍ଟ ହେଉଥିବାରୁ ସବୁ ବେଳେ ଗ୍ରାମରେ ମହିଳା ମାନେ ମାରପିଟ ଝଗଡା ହେଉଛନ୍ତି। ଗ୍ରାମ ନିକଟ ଦେଇ ବୋହି ଯାଉଥିବା କଟକିନାଳରେ ବାନ୍ୟଜନ୍ତୁ, ପଶୁ ପକ୍ଷୀ, ଗାଈଗୋରୁ ବ୍ୟବହାର କରୁଥିବା ପାଣି ନିକଟରେ ଏକ ଚୁଆଁ ଖୋଳି ସେଥିରୁ ପାଣି ସଂଗ୍ରହ କରି ଆଣି ଘରେ ବ୍ୟବହାର କରୁଥିବା କହିଛନ୍ତି। ଏହି ଗ୍ରାମର ମହିଳା ଓ ପୁରୁଷ ମାନେ ଉତ୍ପାଦନ କରୁଥିବା ପନିପରିବା ସକାଳୁ କଲ୍ୟାଣସିଂହପୁର ବଜାରକୁ ଆଣି ବିକ୍ରି କରି ସେହି ଟଙ୍କାରେ ପରିବାର ଭରଣ ପୋଷଣ କରିଥାନ୍ତି। ଏହି ମାନେ ବିଶୁଦ୍ଧ ପାନୀୟ ଜଳ ପାଇ ସୌର ଚଳିତ ନଳକୂପରେ ଜଗି ରହିଲେ ସେମାନଙ୍କ ବେଉସା କିପରି କରିବେ ବୋଲି କହି ନିକଟ ନାଳରୁ ପାଣି ସଂଗ୍ରହ କରିଥିବା ମହିଳା ମାନେ କହିଛନ୍ତି। ଏହାକୁ ନେଇ ସଦର ପଞ୍ଚାୟତରେ ଅଭିଯୋଗ କରି ଥିଲେ ମଧ୍ୟ କେହି ହେଲେ କର୍ଣ୍ଣପାତ ଦେଉନଥିବା ଗ୍ରାମବାସୀ କହିଛନ୍ତି। ଉକ୍ତ ଗ୍ରାମର ନଳକୂପ ଗୁଡିକ ସଜାଡି ବିଶୁଦ୍ଧ ପାନୀୟ ଜଳ ଯୋଗାଇ ନ ଦେଲେ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିବୁ ବୋଲି ଗ୍ରାମବାସୀ କହିଛନ୍ତି । ଏ ସମ୍ପର୍କରେ ଜଳ ଯୋଗାଣ ପରିମଳ ବିଭାଗ ର କନିଷ୍ଠ ଯନ୍ତ୍ରୀ ଙ୍କୁ ଯୋଗାଯୋଗ କଲେ କୌଣସି ସନ୍ତୋଷ ଜନକ ଉତ୍ତର ମିଳିପାରିନାହିଁ।
