ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ସଂସଦୀୟ ଡାବୁଗାଁ ନିର୍ବାଚନ ମଣ୍ଡଳୀ ଅଧୀନ ମୈଦଲପୁର ମଣ୍ଡଳ ପକ୍ଷରୁ ନୂଆକୋଟ ସ୍ଥିତ କଲ୍ୟାଣ ମଣ୍ଡପଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଶିବିରରେ ରାଜ୍ୟ ଉପସଭାପତି ରମେଶ ସାହୁ, ଜିଲ୍ଲା ସଭାପତି କୁଞ୍ଜ ବିହାରୀ ଦାସ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦିକା ଶତାବ୍ଦୀ ପାଳ, ବରିଷ୍ଠ ନେତା ସୁରେଶ ଆଚାର୍ଯ୍ୟ, ଯୁବ ନେତା ତ୍ରିନାଥ ଅମାନତ୍ୟ, ମଣ୍ଡଳ ସଭାପତି ପୂର୍ଣ୍ଣଚନ୍ଦ୍ର ବିଷୋୟୀ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ମୂଖ୍ୟ ଅତିଥି ପର୍ଶୁରାମ ମାଝୀ ତାଙ୍କର ବକ୍ତବ୍ୟରେ ଏହି ପ୍ରଶିକ୍ଷଣ ଶିବିର ୨୦୨୬ ସଂପର୍କରେ ସୂଚନା ଦେଇ କହିଥିଲେ ଯେ ଆମ ସମସ୍ତଙ୍କୁ ବିଜେପିର ନୀତି ଆଦର୍ଶ , ଶୃଙ୍ଖଳା ଓ ଅନୁଶାସନକୁ ଗୁରୁତ୍ବ ଦେଇ ଏବଂ ସିଦ୍ଧାନ୍ତ, ବିଚାର ଓ ରାଷ୍ଟ୍ର ନିର୍ମାଣ ଚିନ୍ତାଧାରାରେ ଅନୁପ୍ରାଣିତ ହେବା ଆବଶ୍ୟକ। ଦୁଇ ଦିନ ଧରି ଆୟୋଜିତ ଏହି ଶିବିରରେ ବିଜେପି କାର୍ଯ୍ୟକର୍ତା ମାନଙ୍କୁ ୭ଗୋଟି ସର୍ତ୍ତ ସମ୍ବନ୍ଧେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ପ୍ରଥମରେ ରାଷ୍ଟ୍ର, ଦ୍ଵିତୀୟରେ ସଂଗଠନ ଏବଂ ତୃତୀୟ ତଥା ଶେଷରେ ବ୍ୟକ୍ତି, ଏହାହିଁ ହେଉଛି ବିଜେପିର ମୂଳମନ୍ତ୍ର। ସମାଜ ଓ ରାଷ୍ଟ୍ର ପ୍ରତି ଦାୟିତ୍ବ ଓ କର୍ତ୍ତବ୍ୟକୁ ତୁଲାଇବା ପାଇଁ ସମର୍ପିତ କାର୍ଯ୍ୟକର୍ତ୍ତା ନିର୍ମାଣ ହେଉଛି ପ୍ରଶିକ୍ଷଣର ମୂଳ ଉଦ୍ଦେଶ୍ୟ ବୋଲି ସେ କହିଥିଲେ ଓ ବିଜେପିର ଇତିହାସ ସମ୍ବନ୍ଧରେ ତାଙ୍କର ମନ୍ତବ୍ୟ ରଖିଥିଲେ। ସେହିପରି ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦିକା ସୁଶ୍ରୀ ପାଳ ସାମାଜିକ ଗାମଧ୍ୟାମରେ ହେଉଥିବା ବିଭିନ୍ନ ଅପପ୍ରଚାର ପ୍ରତି ବିମୁଖ ରହିବା ସହ କର୍ମୀମାନେ ଶାଳୀନତା ରକ୍ଷା କରିବା ପାଇଁ କର୍ମୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଶିବିରରେ ବହୁ ସଂଖ୍ୟାରେ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।
