ଦଳିତ ଯୁବକଙ୍କୁ ନିର୍ଧୁମ ମାଡ଼ ଘଟଣା : ଅଲ୍ ଓଡିଶା ସ୍ୟୁଡୁଲକାଷ୍ଟ ଫେଡରେସନ ପକ୍ଷରୁ ତୀବ୍ର ନିନ୍ଦା, କାର୍ଯ୍ୟାନୁଷ୍ଠାନ ଦାବି

ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ତାଳଗୁଡ଼ ଗ୍ରାମର ଦୁଇ ଦଳିତ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଗାଈ ମାଂସ ବିକ୍ରି କରୁଥିବା ଅଭିଯୋଗରେ ବଜରଙ୍ଗ ଦଳର କର୍ମକର୍ତ୍ତା ଓ କିଛି ସାଧାରଣ ଲୋକ ମିଶି ଦୁଇ ଯୁବକଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେବା ସହ ନିର୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଘଟଣାକୁ ଅଲ୍ ଓଡିଶା ସ୍ୟୁଡୁଲକାଷ୍ଟ ଫେଡରେସନ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଏହି ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ପାଞ୍ଚ ଜଣ ଯୁବକ ଦେବା ବୈଠାରୁ, ରାଜେଶ ସାହୁ, ଆକାଶ ପଟ୍ଟନାୟକ, ଦୀପକ ବୈଠାରୁ ଏବଂ ଲଷ୍ମଣ ରଣାଙ୍କ ନାମରେ ଜୟପାଟଣା ଥାନାରେ ମାମଲା ରୁଜୁ ହୋଇଛି। ଆଜି ଅଲ୍ ଓଡିଶା ସ୍ୟୁଡୁଲକାଷ୍ଟ ଫେଡରେସନର ଏକ ପ୍ରତିନିଧି ଦଳ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପୀଡ଼ିତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ଏହାପରେ ଟିମ୍ ଜୟପାଟଣା ଥାନା ଅଧିକାରୀଣିଙ୍କ ସହ ଆଲୋଚନା କରି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଫେଡରେସନ ପକ୍ଷରୁ କୁହାଯାଇଛି ଯେ, ଯଦି କେହି ଅପରାଧ କରୁଛି ତେବେ ତାକୁ ଦଣ୍ଡ ଦେବା ପାଇଁ ଦେଶରେ ସମ୍ବିଧାନ ଓ ପ୍ରଶାସନ ରହିଛି। କିନ୍ତୁ ସାଧାରଣ ଲୋକେ ଯଦି ନିଜେ ବିଚାରପତି ସାଜି ଆଇନକୁ ହାତକୁ ନେବେ, ତେବେ ବିଧି ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବ। ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ଦାବି କରିଛି।

Leave a Reply

Your email address will not be published. Required fields are marked *