ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ମଦ୍ୟପ ଯୁବକଙ୍କ ହାଇଡ୍ରାମା! ମୋବାଇଲ ଟାୱାର ଉପରେ ଚଢି ଆତ୍ମହତ୍ୟା ଧମକ ଦେଲେ ଯୁବକ। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ସହରରେ ଦେଖିବାକୁ ମିଳିଛି ଏଭଳି କିଛି ଉତ୍ତେଜନାମୂଳକ ଦୃଶ୍ୟ। ସୂଚନା ଅନୁଯାୟୀ, କଲ୍ୟାଣସିଂହପୁର ସହରର ତ୍ରିଲୋଚନ କାଶୀ ନାମକ ଜଣେ ଯୁବକ ଅତ୍ୟଧିକ ମଦ୍ୟପାନ କରି ଏକ ମୋବାଇଲ ଟାୱାର ଉପରକୁ ଚଢି ଯାଇଥିଲେ। ସେଠାରୁ ସେ’ ଡେଇଁ ପଡିବେ ବୋଲି ଧମକ ଦେବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଦୀର୍ଘ ସମୟ ଧରି ଟାୱାର ତଳେ ଲୋକଙ୍କ ପ୍ରବଳ ଭିଡ ଜମିବା ସହ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ କଲ୍ୟାଣସିଂହପୁର ପୁଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ବହୁ ସମୟର ପରିଶ୍ରମ ଏବଂ ବୁଝାସୁଝା ପରେ ଯୁବକଙ୍କୁ ସୁରକ୍ଷିତ ଭାବେ ଟାୱାର ତଳକୁ ଅଣାଯାଇଥିଲା। ଅଗ୍ନିଶମ ବାହିନୀର ଏହି ତପ୍ତରତା ଯୋଗୁଁ ଏକ ବଡ ଅଘଟଣ ଟଳି ଯାଇଛି। ଉଦ୍ଧାର ପରେ ପୁଲିସ ତ୍ରିଲୋଚନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଯୁବକ ଜଣକ କେଉଁ କାରଣ ପାଇଁ ଏଭଳି ଚରମ ନିଷ୍ପତ୍ତି ନେଉଥିଲେ, ସେ ନେଇ ତଦନ୍ତ ଜାରି ରହିଛି।

