କେସିଙ୍ଗା/କ୍ରାନ୍ତିକ୍ଷେତ୍ର(ମଧୁସୂଦନ ଠାକୁର) : ଗ୍ରାମାଞ୍ଚଳର ଲୁକ୍କାୟିତ କ୍ରୀଡା ପ୍ରତିଭା ଙ୍କୁ ଲୋକଲୋଚନ କୁ ଆଣି ସେମାନଙ୍କୁ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରୀୟ ଖେଳାଳି ଭାବରେ ଗଢି ତୋଳିବା ପାଇଁ ଗତ ବିଜେଡି ସରକାର ଅମଳରେ ପ୍ରତି ବ୍ଲକ ମୁଖ୍ୟାଳୟ ଠାରେ ଏକ ଏକ ବିଜୁ ପଟ୍ଟନାୟକ ଖେଳ ଭବନ ନିର୍ମାଣ କରି ଅଞ୍ଚଳର ଖେଳାଳୀ ମାନଙ୍କୁ ଇଣ୍ଡୋର ଖେଳ ର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥିଲା। ସେହି ମର୍ମରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ମଧ୍ୟ ପ୍ରାୟ ୪ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ଇଣ୍ଡୋର୍ ଷ୍ଟାଡିୟମ ନିର୍ମାଣ କରି ଖେଳାଳୀ ମାନଙ୍କୁ ଉତ୍ସଥିଗତ କରାଯାଇଥିଲା। ସକାଳୁ ସକାଳୁ ଓ ସନ୍ଧ୍ୟା ସମୟ ହେଲେ ସହର ଅନେକ ଖେଳାଳୀ ଇଣ୍ଡୋର୍ ଷ୍ଟାଡିୟମ କୁ ଯାଇ ଖେଳ କସରତ କରୁଥିବା ଦେଖା ଯାଇଥାଏ।ହେଲେ କିଛି ଦିନ ହେଲାଣି ଉକ୍ତ ଇଣ୍ଡୋର୍ ଷ୍ଟାଡିୟମ ର ପାଖା ପାଖି ୬୦ ପ୍ରତିଶତ ଲାଇଟ ଜଳୁ ନାହିଁ ବୋଲି ଖେଳାଳି ମାନେ ଅଭିଯୋଗ କରିଛନ୍ତି। ଇଣ୍ଡୋର୍ ଷ୍ଟାଡିୟମ ହୋଇ ଥିବାରୁ ବିନା ଲାଇଟରେ ଖେଳ ବିନା ପାଣିରେ ମାଛ ସହିତ ସମାନ। ଆଗରୁ ମଧ୍ୟ ସେମିତି ଅନେକ ଲାଇଟ ଜଳୁନଥିବା ଖବର ଗଣମାଧ୍ୟମ ରେ ପ୍ରକାଶ ପାଇବା ପରେ ଜିଲ୍ଲା ଖେଳ ବିଭାଗ ର ନିଦ ଖୋଲିଥିଲା ଓ ପରେ ଲାଇଟ ଲାଗିଥିଲା।ଉକ୍ତ ଇଣ୍ଡୋର ଷ୍ଟାଡିୟମ ର ରକ୍ଷଣା ବେକ୍ଷଣ ର ଦାଇତ୍ୱ ରାଜ୍ୟ ସରକାରଙ୍କ ଲୋକ ନିର୍ମାଣ ବିଭାଗ ଅଧିନରେ ଥିବାବେଳେ ଜିଲ୍ଲା ଖେଳବିଭାଗ ର ମଧ୍ୟ ଦାଇତ୍ୱ ରହିଛି। ୬୦ ପ୍ରତିଶତ ଲାଇଟ ଖରାପ ହୋଇ ଯାଇଥିବାରୁ ଖେଳାଳୀ ମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ଯଥା ଶୀଘ୍ର ଇଣ୍ଡୋର୍ ଷ୍ଟାଡିୟମ ରେ ଲାଇଟ ଲଗାଇବା ପାଇଁ ଖେଳାଳୀ ମାନେ ଦାବୀ କରିଛନ୍ତି।

