ପଞ୍ଜିକରଣ ଅଭାବରୁ ହଟହଟା ଇନ୍ଦ୍ରାବତୀ ଲିଫ୍ଟ କେନାଲ ଅଞ୍ଚଳର ଚାଷୀ

କଳାହାଣ୍ଡି/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ଦ୍ୱାରା ଉପକୃତ ହେଉଥିବା ଜୟପାଟଣା, କୋକସରା ଓ ଧର୍ମଗଡ଼ ବ୍ଲକର ପ୍ରାୟ ୧୮ ହଜାର ୮୮୫ ହେକ୍ଟର ଜମିରେ ଚଳିତ ରବି ଋତୁରେ ଧାନ ଚାଷ କରାଯାଇଛି।କିନ୍ତୁ ଫସଲ ଅମଳ ସମୟ ପାଖେଇ ଆସୁଥିଲେ ମଧ୍ୟ ଚାଷୀଙ୍କ ଧାନ ବିକ୍ରି ପାଇଁ ଆବଶ୍ୟକୀୟ ପଞ୍ଜିକରଣ ବ୍ୟବସ୍ଥା ଏପର୍ଯ୍ୟନ୍ତ ହୋଇପାରି ନାହିଁ। ପୂର୍ବରୁ କୋକସରା ଜାତୀୟ ରାଜପଥ ଅବରୋଧ କରି ଚାଷୀମାନେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ତଥାପି ବିଭାଗୀୟ କର୍ତ୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଠୋସ୍ ସମାଧାନ ବାହାରି ନାହିଁ। ପ୍ରଶାସନର ଉଦାସୀନତା ପ୍ରତିବାଦରେ ଚାଷୀମାନେ ଏବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଏବଂ ଧାରଣାରେ ବସିଛନ୍ତି। ସେମାନଙ୍କର ଏକମାତ୍ର ଦାବି ସମସ୍ତ ଚାଷୀଙ୍କ ଧାନ ପଞ୍ଜିକରଣ କରାଯାଇ ସରକାରୀ ଦରରେ ଧାନ କିଣାଯାଉ। ଆଜି ହିରାପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ପରୀକ୍ଷିତ ନାଏକ, ଚାଷୀ ନେତା ଖଗପତି ନାଏକ, ମହେନ୍ଦ୍ର ନାଏକ, ମୋହନ ରାଉତ, ଲଷ୍ମଣ ରାଉତ, ରତନ ରାଉତ, ଯଦୁ ବାଣୁଆଁ, ମୀନକେତନ ବାଣୁଆଁ, ଗିରି ଦଳପତି, ସପୂରସିଙ୍ଗ ମାଝୀ, ବାହୁଦେବ ମାଝୀ ପ୍ରମୁଖ ଚାଷୀ ଧାରଣାରେ ଓଲ୍ଲାଇଛନ୍ତି।

Leave a Reply

Your email address will not be published. Required fields are marked *