କଳାହାଣ୍ଡିରେ ଓଡ଼ିଶା ଜନତା କଂଗ୍ରେସର ମାଷ୍ଟରଷ୍ଟ୍ରୋକ

ଭୁବନେଶ୍ୱର/କ୍ରାନ୍ତିକ୍ଷେତ୍ର ବ୍ୟୁରୋ : କଳାହାଣ୍ଡି ରାଜନୀତିରେ ଆଜି ଦେଖିବାକୁ ମିଳିଛି ଏକ ବଡ଼ ଧରଣର ଭୂକମ୍ପ। ଯେଉଁଠି ପାରମ୍ପରିକ ଦଳଙ୍କ ଗଡ଼ରେ ସେନ୍ଧି ମାରିଛି ‘ଓଡ଼ିଶା ଜନତା କଂଗ୍ରେସ’। ଭବାନୀପାଟଣାର କୃଷ୍ଣନଗର ପଡ଼ିଆ ଆଜି ସାକ୍ଷୀ ରହିଛି ଏକ ବିରାଟ ଜନସମାବେଶର। ମହମ୍ମଦ ମୋକିମ୍‌ଙ୍କ ଶକ୍ତି ପ୍ରଦର୍ଶନ ଏବଂ ସ୍ଥାନୀୟ ବିଧାୟକଙ୍କ ଫେଲ୍ ମାରିଥିବା ବନ୍ଦ ଡାକରା – ଏସବୁ ଭିତରେ କଳାହାଣ୍ଡିର ରାଜନୈତିକ ସମୀକରଣ କେଉଁ ମୋଡ଼ ନେଉଛି?। କଳାହାଣ୍ଡି ମାଟିରେ ନୂଆ ବିକଳ୍ପର ସଙ୍କେତ! ଓଡ଼ିଶା ଜନତା କଂଗ୍ରେସ ମୁଖ୍ୟ ମହମ୍ମଦ ମୋକିମ୍ ଆଜି ଜିଲ୍ଲାର ପାରମ୍ପରିକ ଦଳଙ୍କ ନିଦ ହଜାଇ ଦେଇଥିବା ବେଳେ ଭକ୍ତ ଦାସଙ୍କ ଗଡରୁ ଖେଳିଛନ୍ତି ମାଷ୍ଟରଷ୍ଟ୍ରୋକ। ଯାହା ପଶ୍ଚିମ ଓଡ଼ିଶାର ରାଜନିତୀ ସମେତ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିଛି। ‘ଡିଫାଇନ କଳାହାଣ୍ଡି’ ର ପ୍ରତିଷ୍ଠାତା ମଧୁ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ଏହି ବିଶାଳ ସମାବେଶରେ ୧୦ ହଜାରରୁ ଅଧିକ ଲୋକଙ୍କ ଗର୍ଜନ ଶୁଣିବାକୁ ମିଳିଛି। ଖାଲି ସେତିକି ନୁହେଁ, ବିଭିନ୍ନ ପ୍ରମୁଖ ଦଳରୁ ଶହ ଶହ ଅସନ୍ତୁଷ୍ଟ ଯୁବ କର୍ମୀ ଆଜି ଓଡ଼ିଶା ଜନତା କଂଗ୍ରେସର ହାତ ଧରିଛନ୍ତି। “କଳାହାଣ୍ଡିକୁ ସବୁବେଳେ ପ୍ରତାରଣା କରାଯାଇଛି। ବଡ଼ ବଡ଼ ଦଳ ଏଠାକାର ମାଟିର ହକ୍ ପାଇଁ କିଛି କରିନାହାନ୍ତି। ଆମେ ଜିଲ୍ଲାର ବିକାଶ କରିବୁ, ଏହା ଆମର ପ୍ରତିଶ୍ରୁତି ବୋଲି ଦଳର ମୁଖ୍ୟ ମହମ୍ମଦ ମୋକିମ୍ ଜନତାଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଛନ୍ତି। ଗୋଟିଏ ପଟେ ମୋକିମ୍‌ଙ୍କ ଶକ୍ତି ପ୍ରଦର୍ଶନ ଚାଲିଥିବା ବେଳେ, ଅନ୍ୟପଟେ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସଙ୍କୁ ଲାଗିଛି ଶକ୍ତ ଧକ୍କା। ତୁର୍କେଲ ବ୍ରୀଜ୍ ପ୍ରସଙ୍ଗରେ ଦିଆଯାଇଥିବା ସଦର ବ୍ଲକ ବନ୍ଦ ଡାକରା ସମ୍ପୂର୍ଣ୍ଣ ରୂପେ ଫେଲ୍ ମାରିଥିବା ଦେଖିବାକୁ ମିଳିଛି। ବନ୍ଦ ସତ୍ତ୍ୱେ ଯାତାୟତ ଏବଂ ଜନଜୀବନ ସ୍ୱାଭାବିକ ରହିବା, ବିଧାୟକଙ୍କ ଗ୍ରହଣଯୋଗ୍ୟତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। କଳାହାଣ୍ଡିର ଏହି ବଦଳୁଥିବା ରାଜନୈତିକ ଚିତ୍ର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯୁବପିଢ଼ିଙ୍କ ଅସନ୍ତୋଷ ଏବଂ ନୂଆ ସଙ୍ଗଠନର ଏହି ଉତ୍ଥାନ ଆଗାମୀ ଦିନରେ କଣ ରୂପ ନେବ, ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *