କଳାହାଣ୍ଡିରେ ଓଡ଼ିଶା ଜନତା କଂଗ୍ରେସର ଶକ୍ତି ପ୍ରଦର୍ଶନ ; ପାରମ୍ପରିକ ଦଳଙ୍କ ପାଇଁ ବଢ଼ିଲା ଚିନ୍ତା

କଳାହାଣ୍ଡି/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନର ସଙ୍କେତ ଦେଖିବାକୁ ମିଳିଛି। ଭବାନୀପାଟଣା କୃଷ୍ଣନଗର ପଡ଼ିଆଠାରେ ଆଜି ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଆୟୋଜିତ ବିଶାଳ ଜନସମାବେଶ ମାଧ୍ୟମରେ ଦଳର ମୁଖ୍ୟ ମହମ୍ମଦ ମୋକିମ୍ ନିଜର ରାଜନୈତିକ ଶକ୍ତି ଜାହିର କରିଛନ୍ତି। ଡିଫାଇନ କଳାହାଣ୍ଡିର ପ୍ରତିଷ୍ଠାତା ମଧୁ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୦ ହଜାରରୁ ଅଧିକ ଲୋକଙ୍କ ସମାଗମ ଜିଲ୍ଲାର ପାରମ୍ପରିକ ରାଜନୈତିକ ସମୀକରଣକୁ ଦୋହଲାଇ ଦେଇଛି।​ ଏହି ସମାବେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ଥିଲା ବିଭିନ୍ନ ପ୍ରମୁଖ ଦଳରୁ ଅସନ୍ତୁଷ୍ଟ ଯୁବ କର୍ମୀଙ୍କ ଓଡ଼ିଶା ଜନତା କଂଗ୍ରେସରେ ଯୋଗଦାନ। ଜିଲ୍ଲାର ବିକାଶ ପ୍ରସଙ୍ଗକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ଥିବା ଅସନ୍ତୋଷକୁ ପୁଞ୍ଜି କରି ଦଳ ନିଜର ସଂଗଠନ ମଜବୁତ କରୁଥିବା ସ୍ପଷ୍ଟ ହୋଇଛି। ସଭାକୁ ସମ୍ବୋଧିତ କରି ମହମ୍ମଦ ମୋକିମ୍ କହିଛନ୍ତି କଳାହାଣ୍ଡିକୁ ସବୁବେଳେ ପ୍ରତାରଣା କରାଯାଇଛି। ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ଏହି ମାଟିର ହକ୍ ପାଇଁ କିଛି କରିନାହାନ୍ତି। ଆମେ ଜିଲ୍ଲାର ବିକାଶ କରିବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପଟେ ତୁର୍କେଲ ବ୍ରୀଜ୍ ପ୍ରସଙ୍ଗକୁ ନେଇ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସଙ୍କ ପକ୍ଷରୁ ଦିଆଯାଇଥିବା ସଦର ବ୍ଲକ ବନ୍ଦ ଡାକରା ବିଶେଷ ପ୍ରଭାବ ପକାଇ ପାରିନାହିଁ। ବନ୍ଦ ସତ୍ତ୍ୱେ ଜନଜୀବନ ଓ ଯାତାୟତ ସ୍ୱାଭାବିକ ରହିଥିବା ଦେଖିବାକୁ ମିଳିଛି, ଯାହା ଶାସକ ଗୋଷ୍ଠୀ ପାଇଁ ଏକ ଶକ୍ତ ଧକ୍କା ବୋଲି ଚର୍ଚ୍ଚା ହେଉଛି। ଜୟନ୍ତ କୁମାର ନାୟକ ମଞ୍ଚପରିଚାଳନା କରିଥିବାବେଳେ ଏହି କାର୍ଯ୍ୟକ୍ରମକୁ ସୁନନ୍ଦ ପଟ୍ଟନାୟକ, ରାମ ପାଣିଗ୍ରାହୀ, ଲମ୍ବୋଦର ତାଣ୍ଡି, କାଳିଆ ସରାଫ, ପ୍ରଭାକର ବେହେରା, ପ୍ରକାଶ ମଙ୍ଗରାଜ, ଚିତ୍ରସେନ ଜାଲ, ବିଦ୍ୟାଧର ମୁଣ୍ଡ, ପ୍ରଣବ ଭୋକ୍ତା, କଳାକାହୁଁ ସା ଏବଂ ରାଣା ପ୍ରତାପ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *